fbpx

ଏଣିକି SBIର ବିଏସ୍‌ବିଡି ଆକାଉଣ୍ଟ୍‌ରୁ ମାସକୁ ୪ରୁ ଅଧିକ ଥର ଟଙ୍କା ଉଠାଣରେ ଦେବାକୁ ପଡିବ ଶୁଳ୍କ, ଚେକ୍‌ ବୁକ୍‌ ଉପରେ ମଧ୍ୟ ବ୍ୟାଙ୍କ ଶୁଳ୍କରେ ସଂଶୋଧନ

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (ବିଏସ୍‌ବିଡି) ଖାତାର ଗ୍ରାହକମାନଙ୍କ ଲାଗି ଶୁଳ୍କରେ ସଂଶୋଧନ କରାଯାଇଛି । ଗ୍ରାହକମାନଙ୍କୁ ପ୍ରତି ମାସରେ ୪ ଥର ନିଃଶୁଳ୍କ ଟଙ୍କା ଉଠାଣର ସୁବିଧା ମିଳିବ । ଯେଉଁ ଗ୍ରାହକ ଧାର୍ଯ୍ୟ ସୀମା ଠାରୁ ଅଧିକ ଥର ଟଙ୍କା ଉଠାଇବେ ସେମାନଙ୍କୁ ପ୍ରତି ଥର ୧୫ ଟଙ୍କାର ଶୁଳ୍କ ସହ ଜିଏସ୍‌ଟି ଗଣିବାକୁ ପଡ଼ିବ । ଚେକ୍‌ ବୁକ୍‌ ଉପରେ ମଧ୍ୟ ବ୍ୟାଙ୍କ ଏହାର ଶୁଳ୍କରେ ସଂଶୋଧନ କରିଛି । ବର୍ଷକୁ ଗ୍ରାହକମାନେ ୧୦ଟି ଚେକ୍‌ ନିଃଶୁଳ୍କ ଭାବେ ବ୍ୟବହାର କରିପାରିବେ । ଏହା ଠାରୁ ଅଧିକ ଚେକ୍‌ ବ୍ୟବହାର କଲେ ବ୍ୟାଙ୍କ ଶୁଳ୍କ ଆଦାୟ କରିବ । ଯେକୌଣସି ବ୍ୟକ୍ତି ବୈଧ କେୱାଇସି କାଗଜପତ୍ର ଦେଇ ବିଏସ୍‌ବିଡି ଖାତା ଖୋଲିପାରିବେ ।

ସମାଜର ଗରିବ ଲୋକମାନଙ୍କୁ ସଞ୍ଚୟ ଖାତା ଖୋଲିବା ନିମନ୍ତେ ଉତ୍ସାହିତ କରିବା ଲାଗି ବିଏସ୍‌ବିଡି ଆକାଉଣ୍ଟ୍‌ ଖୋଲିବାକୁ ଉତ୍ସାହିତ କରାଯାଉଛି । ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ‘ଅତିରିକ୍ତ ମୂଲ୍ୟ ଯୁକ୍ତ ସେବା’ ଉପରେ ୧୫ ଟଙ୍କାରୁ ଆରମ୍ଭ କରି ୭୫ ଟଙ୍କା ପର୍ଯ୍ୟନ୍ତର ଶୁଳ୍କ ଲାଗୁ କରାଯିବ । ଏହି ନିଷ୍ପତ୍ତି ଜୁଲାଇ ୧ରୁ ଲାଗୁ ହୋଇଛି। ଗ୍ରାହକମାନେ ଶାଖା, ଏଟିଏମ୍‌ ଓ କ୍ୟାସ୍‌ ଡିପୋଜିଟ୍‌ ମେସିନ୍‌ରେ ଯେଉଁ ଅଣ-ଆର୍ଥିକ କାରବାର ଓ ଟ୍ରାନ୍ସଫର କାରବାର କରିବେ ତାହା ଉପରେ କୌଣସି ଶୁଳ୍କ ଲଗାଯିବ ନାହିଁ । ତେବେ ଷ୍ଟେଟ୍‌ ବ୍ୟାଙ୍କ ଶାଖା, ଏଟିଏମ୍‌ କିମ୍ବା ଅନ୍ୟ ଯେକୌଣସି ବ୍ୟାଙ୍କର ଏଟିଏମ୍‌?କୁ ମାସକୁ ୪ରୁ ଅଧିକ ଥର ବ୍ୟବହାର କଲେ ବ୍ୟାଙ୍କ ପ୍ରତି ଥର ଲାଗି ୧୫ ଟଙ୍କାର ଶୁଳ୍କ ସହିତ ଜିଏସ୍‌ଟି ମଧ୍ୟ ଆଦାୟ କରିବ । ଚେକ୍‌ ବୁକ୍‌ରୁ ଗ୍ରାହକମାନେ ଗୋଟିଏ ଆର୍ଥିକ ବର୍ଷରେ ୧୦ଟି ଚେକ୍‌? କୁ ନିଃଶୁଳ୍କ ଭାବେ ବ୍ୟବହାର କରିବେ । ଏହା ପରେ ୧୦ଟି ଚେକ୍‌ ପାଇଁ ୪୦ ଟଙ୍କାର ଶୁଳ୍କ ସହ ଜିଏସ୍‌ଟି ଲାଗୁ କରାଯିବ । ୨୫ଟି ଚେକ୍‌ ପାଇଁ ୭୫ ଟଙ୍କାର ଶୁଳ୍କ ସହ ଜିଏସ୍‌ଟି ଆଦାୟ କରାଯିବ।

ଜରୁରୀକାଳୀନ ଚେକ୍‌ ବୁକ୍‌ ଜାରି କରିବା ଲାଗି ୧୦ଟି ଚେକ୍‌ କିମ୍ବା ତାହାର କିଛି ଅଂଶ ପାଇଁ ବ୍ୟାଙ୍କ ୫୦ ଟଙ୍କାର ଶୁଳ୍କ ସହିତ ଜିଏସ୍‌ଟି ଆଦାୟ କରିବ । ତେବେ ଚେକ୍‌ ବୁକ୍‌ ସେବାରେ ବରିଷ୍ଠ ନାଗରିକମାନଙ୍କୁ ଛାଡ଼ ପ୍ରଦାନ କରାଯାଇଛି । ତେବେ ଆଇଆଇଟି-ବମ୍ବେର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୧୫-୨୦ ଭିତରେ ୧୨ କୋଟି ବିଏସ୍‌ବିଡି ଖାତା ଗ୍ରାହକଙ୍କ ଉପରେ ଷ୍ଟେଟ୍‌ ବ୍ୟାଙ୍କ ଶୁଳ୍କ ଲାଗୁ କରି ୩୦୦ କୋଟି ଟଙ୍କାର ଆୟ କରିଛି ।

Get real time updates directly on you device, subscribe now.