fbpx

କର୍ଣ୍ଣାଟକରେ ହିଜାବ ଉପରେ ନିଷେଧ ଜାରି ରହିବ, ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟକୁ ଅପେକ୍ଷା

Advertisement

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହାନ୍ତି। ବିଚାରପତିଙ୍କ ମଧ୍ୟରେ ରାୟକୁ ନେଇ ତାଳମେଳ ରହିନାହିଁ। ଦୁଇ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ ହେବାରୁ ମାମଲା ବର୍ତ୍ତମାନ ବୃହତ ଖଣ୍ଡପୀଠରେ ପହଞ୍ଚି ଯାଇଛି। ହେଲେ କର୍ଣ୍ଣାକଟ ସରକାର ସ୍ପଷ୍ଟ କରିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଚୂଡାନ୍ତ ରାୟ ନ ଆସିବା ପର‌୍ୟ୍ୟନ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ହିଜାବ ଉପରେ କଟକଣା ଜାରି ରହିବ। ସଂପ୍ରତି ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ତାରିଖ ନିର୍ଦ୍ଧାରଣ କରିନାହାନ୍ତି।

ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି, ଉଚ୍ଚତମ ନ୍ୟାୟାଳୟରୁ ଚୂଡାନ୍ତ ନିଷ୍ପତ୍ତି ନ ଆସିବା ଯାଏଁ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ହିଜାବ ଉପରେ କଟକଣା ଜାରି ରହିବ। ଆଉ ସେ ପର‌୍ୟ୍ୟନ୍ତ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଆଦେଶ ଲାଗୁ କରାଯିବ। ଉଲ୍ଲେଖନୀୟ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣାକୁ ବଳବତ୍ତର ରଖିଥିଲେ।

କଣ କହିଲେ ସର୍ବୋଚ୍ଚ ନ୍ୟାୟାଳୟ:ଉଚ୍ଚତମ ନ୍ୟାୟାଳୟର ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ସୁଧାଂଶୁ ଧୁଲିଆ ମାମଲାର ଶୁଣାଣି କରିଛନ୍ତି। ଗୋଟିଏ ପଟେ ବିଚାରପତି ଗୁପ୍ତା ଉଚ୍ଚ ନ୍ୟାୟାଳୟର ଆଦେଶ ବିରୋଧରେ ଦାଖଲ ଯାଚିକାକୁ ଖାରଜ କରିଥିବା ବେଳେ ଅନ୍ୟପଟେ ବିଚାରପତି ଧୁଲିଆ ଯାଚିକାକୁ ସ୍ଵୀକାର କରିଛନ୍ତି।

ଏହି ସବୁ ମଧ୍ୟରେ କର୍ଣ୍ଣାଟକର ମନ୍ତ୍ରୀ ନାଗେଶ କହିଛନ୍ତି, ସେ ଉଚ୍ଚତମ ନ୍ୟାୟାଳୟରୁ ଉତ୍କୃଷ୍ଟ ନିଷ୍ପତ୍ତି ଆଶା କରୁଥିଲେ। ମାତ୍ର ଏବେ ମାମଲା ବୃହତ୍ତର ଖଣ୍ଡପୀଠକୁ ଚାଲି ଯାଇଛି। ତଥାପି କର୍ଣ୍ଣାଟକ ଶିକ୍ଷା ଆକ୍ଟ ଅନୁସାରେ ଶିକ୍ଷାନୁଷ୍ଠାନରେ କୌଣସି ଧାର୍ମିକ ପ୍ରଥାକୁ ଅନୁମତି ଦିଆଯାଇ ପାରିବ ନାହିଁ। ସମଗ୍ର ଦୁନିଆରେ ମହିଳାମାନେ ହିଜାବ ଉପରେ କଟକଣା ଲଗାଇବାକୁ ଦାବି କରୁଛନ୍ତି। ଅର୍ଥାତ କର୍ଣ୍ଣାଟକରେ ସଂପ୍ରତି ହିଜାବ ଉପରେ କଟକଣା ଜାରି ରହିବ।

Get real time updates directly on you device, subscribe now.