fbpx
BJD SKY
BJD SKY

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ‘ଆମେ ଆଇନ ତିଆରି କରିପାରିବୁ ନାହିଁ, ସରକାର ଭେଦଭାବ ସମାପ୍ତ କରନ୍ତୁ’

BJD

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର ହୋଇଥିଲା । ଏହି ଶୁଣାଣିକୁ ନେଇ ଦେଶବାସୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିଥିଲା । ଶେଷରେ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହାର ଚୂଡ଼ାନ୍ତ ଶୁଣାଣି କରିଥିଲେ । ଗତ ମେ ମାସ ୧୧ ତାରିଖରେ ସର୍ବୋଚ୍ଚ ଅଦାଲତ ଏହି ଯାଚିକାର ଶୁଣାଣି ସମାପ୍ତ କରିବା ସହିତ ନିଷ୍ପତ୍ତିକୁ ସଂରକ୍ଷିତ କରି ରଖିଥିଲେ ।

ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି । ଜଣେ ନିଜକୁ ପୁରୁଷ ବା ସ୍ତ୍ରୀ ଭଳି ଚିହ୍ନଟ କରିବ ସେ କ୍ଷେତ୍ରରେ ସମସ୍ତଙ୍କର ନିଜର ଅଧିକାର ରହିଛି । ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାରର ସୁରକ୍ଷା କରିବା ଅଦାଲତଙ୍କ ଦାୟିତ୍ୱ । ସମଲିଙ୍ଗ ସମ୍ପର୍କ ଏକ ସହରୀ ଚିନ୍ତାଧାରା ନୁହେଁ । ବିବାହ ନିଶ୍ଚିତ ଭାବେ ଏକ ଆଇନଗତ ମାନ୍ୟତା, ମାତ୍ର ଏହା କୌଣସି ମୌଳିକ ଅଧିକାର ନୁହେଁ ।

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସରକାରଙ୍କୁ କିଛି ନିର୍ଦ୍ଦେଶ ଦେଇଛନ୍ତି । ସମଲିଙ୍ଗୀ ଯୋଡ଼ିଙ୍କ ସହ କୌଣସି ଭେଦଭାବ ନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସୁନିଶ୍ଚିତ କରିବେ । ସେମାନଙ୍କ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ସେମାନଙ୍କ ସହାୟତା ପାଇଁ ହେଲପ୍ ଲାଇନ ପ୍ରସ୍ତୁତ କରାଯିବ । ଏ ବିଷୟରେ ବୁଝିବା ଯୋଗ୍ୟ ହେବା ପରେ ଜଣେ ଲିଙ୍ଗ ପରିବର୍ତ୍ତନ ଅପରେସନ କରିପାରିବ । ସେକ୍ସ ପ୍ରବୃତ୍ତିରେ ପରବର୍ତ୍ତନ ପାଇଁ କାହାକୁ ହରମୋନ୍ ଦିଆଯିବ ନାହିଁ । ସମଲିଙ୍ଗୀ ଯୋଡ଼ିଙ୍କୁ ପୋଲିସ ସହାୟତା ଯୋଗାଇବ । ସେମାନଙ୍କ ଇଚ୍ଛା ବିରୋଧରେ ପରିବାର ନିକଟକୁ ପଠାଇବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ପ୍ରାଥମିକ ଯାଞ୍ଚ ପରେ ଏହି ଯୋଡ଼ିଙ୍କ ବିରୋଧରେ ଏଫଆଇଆର ଦାୟର ହୋଇପାରିବ ।

ସମାନ ଲିଙ୍ଗଧାରୀ ଯୋଡ଼ିଙ୍କ ବିବାହକୁ ମୌଳିକ ଆଧାର ଭାବେ ସ୍ୱୀକାର କରାଯାଇ ପାରିବ ନାହିଁ । ଅଦାଲତ ଏଥିପାଇଁ ଆଇନ ତିଆରି କରନ୍ତି ନାହିଁ, ମାତ୍ର ତା’ର ବ୍ୟାଖ୍ୟା କରିପାରିବେ ଓ ତାହାକୁ ଲାଗୁ କରିପାରିବେ । କେନ୍ଦ୍ର ଓ ରାଜ୍ୟ ସରକାର ଭେଦଭାବ ସମାପ୍ତ କରନ୍ତୁ । ସେମାନଙ୍କୁ ସଂରକ୍ଷଣ ପ୍ରଦାନ କରନ୍ତୁ । ସମଲିଙ୍ଗୀ ସମ୍ପ୍ରଦାୟଙ୍କ ସହିତ ଭେଦଭାବ କରାଯିବା ଅନୁଚିତ ।

ସରକାର ଏହି ମାମଲାରେ ଆଇନ ତିଆରି କରିବା ଉଚିତ । ଫଳରେ ସମଲିଙ୍ଗୀଙ୍କୁ ସାମାଜିକ ଓ ଆଇନଗତ ମାନ୍ୟତା ମିଳିପାରିବ । ନିଜ ରିଲେସନଶିପକୁ ନେଇ ସମଲିଙ୍ଗୀଙ୍କୁ ବିନା ଭୟ ଓ ବାଧାରେ ଅଧିକାର ମିଳିବା ଦରକର । ସାରା ଜୀବନ ଏକତ୍ର ରହିବା ଏହି ଦୁଇ ଜଣଙ୍କର ଅଧିକାର । ସେଥିରେ କୌଣସି ବାଧା ନ ଆସିବା ଦରକାର । ସେମାନଙ୍କୁ ଅଧିକାର ପ୍ରଦାନ ପାଇଁ ଏକ ନୂଆ ଫ୍ରେମୱାର୍କ ପ୍ରସ୍ତୁତ କରାଯିବା ଦରକାର ।

Get real time updates directly on you device, subscribe now.