(Video) ଚାଲିଥିଲା ପରୀକ୍ଷା, ଖବର ଆସିଲା ସ୍କୁଲରେ ଖଞ୍ଜା ଯାଇଛି ବୋମା; ଖେଳିଗଲା ଭୟର ବାତାବରଣ

କେବେ ଭାବିଛନ୍ତି କି ପିଲାମାନେ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଥିବେ ଆଉ ଏହି ସମୟରେ ଖବର ଆସିବ ଯେ ସ୍କୁଲରେ ବୋମା ଖଞ୍ଜା ଯାଇଛି । ସେତେବେଳେ କ’ଣ କରିବେ ଆପଣ? ବେଙ୍ଗାଲୁରୁର ଏଭଳି କିଛି ଚାଞ୍ଚଲ୍ୟକର ଖବର ଆସିଛି, ତାହା ପୁଣି ଗୋଟିଏ ନୁହେଁ ୬ ଟି ସ୍କୁଲରେ ବୋମା ଖଞ୍ଜାଯାଇଥିବା ନେଇ ଆସିଥିଲା ଖବର । ପୁରା ଘଟଣାଟି ହେଉଛି, ସ୍କୁଲରେ ପରୀକ୍ଷା ଚାଲିଥିଲା ଆଉ ସେହି ସମୟରେ ହଠାତ ଖବର ଆସିଲା ଯେ, ସ୍କୁଲରେ ବୋମା ଖଞ୍ଜା ହୋଇଛି । ଆଉ ଏହା ପରେ ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ ।

ଘଟଣାସ୍ଥଳରେ ସଂଗେ ସଂଗେ ପୋଲିସ ଅଧିକାରୀମାନେ ପହଞ୍ଚି ସ୍କୁଲ ପରିସରକୁ ସଂପୂର୍ଣ୍ଣ ଖାଲି କରି ଯାଞ୍ଚ୍ କରୁଛନ୍ତି । ଅନ୍ୟ ପଟେ ଯାଂଚ ଚାଲିଥିବାବେଳେ ଏବେ ପର୍ଯ୍ୟନ୍ତ କୌଣସି ବିସ୍ଫୋଟକ ସାମଗ୍ରୀ ଜବତ ହୋଇପାରିନାହିଁ । ପୋଲିସ ତରଫରୁ କିନ୍ତୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ବାଙ୍ଗାଲୋରରେ ବୋମା ଖଞ୍ଜାଯାଇଥିବା ଖବର ଆସିଥିବା ଏହି ୬ ସ୍କୁଲ ଗୁଡ଼ିକ ହେଉଛି- ଡିପିଏସ୍ ଭାରର୍ଥୁ ଗୋପାଳନ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ନିୟୁ ଏକାଡେମୀ ସ୍କୁଲ୍, ସେଣ୍ଟ ଭିନସେଣ୍ଟ ପଲ୍ ସ୍କୁଲ୍, ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ ଗୋବିନ୍ଦପୁର, ଇବେଞ୍ଜର ଇଣ୍ଟରନ୍ୟାସନାଲ ସ୍କୁଲ, ଇଲେକ୍ଟ୍ରୋନିକ୍ ସିଟି । ତେବେ ଏହି ୬ଟିି ସ୍କୁଲ ଗୁଡ଼ିକୁ ଶୁକ୍ରବାର ଦିନ ୧୧ଟା ୯ରେ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ସେହି ଇମେଲରେ ଲେଖାଥିଲା ଯେ, “ଗୋଟିଏ ଶକ୍ତିଶାଳୀ ବୋମା ଆପଣଙ୍କ ସ୍କୁଲରେ ଖଞ୍ଜା ଯାଇଛି । ଏହାକୁ ମଜାକ ଭାବନ୍ତୁ ନାହିଁ । ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ । ଶହ ଶହ ଜୀବନ ଚାଲିଯାଇପାରେ । ବିଳମ୍ବ କରନ୍ତୁ ନାହିଁ । ଏବେ କେବଳ ସବୁ ତୁମ ହାତରେ ।” ଆଉ ଏହା ପରେ ସ୍କୁଲମାନଙ୍କରେ ହଇଚଇ ସୃଷ୍ଟି ହୋଇଥିଲା ।