fbpx

ବୈଜ୍ଞାନିକମାନେ ଆବିଷ୍କାର କଲେ ବିଶ୍ୱର ‘ଅଷ୍ଟମ ମହାଦେଶ’: ୩୭୫ ବର୍ଷ ଧରି ରହିଥିଲା ଅଦୃଶ୍ୟ

ନୂଆଦିଲ୍ଲୀ: ଦୀର୍ଘ ୩୭୫ ବର୍ଷ ପରେ ଭୂବିଜ୍ଞାନୀମାନେ ଏକ ବଡ଼ ସଫଳତା କରିଛନ୍ତି । ପୃଥିବୀର ‘ଅଷ୍ଟମ ମହାଦେଶ’ର ସନ୍ଧାନ ମିଳିଛି । ଭୂବିଜ୍ଞାନୀ ଓ ଭୂକମ୍ପ ବିଜ୍ଞାନୀଙ୍କର ଏକ ଛୋଟ ଟିମ ଏନେଇ ଏକ ନୂଆ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ସମୁଦ୍ରର ୨ କିଲୋମିଟର ତଳୁ ଏହି ମହାଦେଶକୁ ଠାବ କରାଯାଇଥିବା ବେଳେ ପଥର ଚଟାଣର ତଥ୍ୟକୁ ଉପଯୋଗ କରି ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି ।

ଜର୍ଣ୍ଣାଲ ଟେକ୍ନୋନିକ୍ସରେ ଏହି ରିସର୍ଚ୍ଚ ତଥ୍ୟ ପ୍ରକାଶିତ ହୋଇଥିବା ବେଳେ ବୈଜ୍ଞାନିକମାନେ ଏହି ମହାଦେଶକୁ ‘ଜିଲାଣ୍ଡିଆ’ ନାମରେ ନାମିତ କରିଛନ୍ତି । ଏହି ମହାଦେଶର ଆକାର ପାଖାପାଖି ୧.୮୯ ମିଲିୟନ ବର୍ଗ ମାଇଲ୍ ବା ୪.୯ ମିଲିୟନ ବର୍ଗ କିମି, ଯାହାକି ମାଗାଡାସ୍କାରର ଆକାର ଠାରୁ ପାଖପାଖି ୬ ଗୁଣ । ବାସ୍ତବରେ ୮ଟି ମହାଦେଶ ରହିଥିବା ବୈଜ୍ଞାନିକଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ସମସ୍ତ ରେକର୍ଡ ଭାଙ୍ଗିବା ସହ ତାହା ବିଶ୍ୱର ସବୁଠାରୁ କ୍ଷୁଦ୍ରତମ, ପତଳା ଓ ଯୁବା ମହାଦେଶ ବୋଲି କୁହାଯାଉଛି ।

ନୂଆ ମହାଦେଶର ୯୪ ପ୍ରତିଶତ ସ୍ଥାନ ପାଣି ଭିତରେ ରହିଥିବା ବେଳେ ସେଥିରେ ନ୍ୟୁଜିଲାଣ୍ଡ ଭଳି କିଛି ଦ୍ୱୀପ ରହିଛି । ଏହି ମହାଦେଶର ସନ୍ଧାନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା ବୋଲି ନ୍ୟୁଜିଲାଣ୍ଡ କ୍ରାଉନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଜିଏନଏସ ସାଇନ୍ସର ଜଣେ ଭୂବିଜ୍ଞାନୀ କହିଛନ୍ତି । ଜିଲାଣ୍ଡିଆ ପାଖାପାଖି ୫୫୦ ନିୟୁତ ବର୍ଷ ତଳେ ଗୋଣ୍ଡୱାନା ଭୂମିର ଅଂଶବିଶେଷ ଥିଲା । ମାତ୍ର ଭୂଗର୍ଭୀୟ ଗତିବିଧି ଫଳରେ ତାହା ପୃଥକ ହୋଇ ସମୁଦ୍ରରେ ମିଶିଯାଇଥିଲା । ତେବେ ଏହା ଗୋଣ୍ଡୱାନାରୁ କିପରି ପୃଥକ ହେଲା ସେନେଇ ଏବେ ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଛନ୍ତି । ୧୬୪୨ରେ ପ୍ରଥମ ଥର ପାଇଁ ଜିଲାଣ୍ଡିଆ ମହାଦେଶ ବାବଦରେ ସୂଚନା ମିଳିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ୪୦୦ ବର୍ଷ ଧରି ବୈଜ୍ଞାନିକମାନେ ଜିଲାଣ୍ଡିଆ ସମ୍ପର୍କରେ ଜାଣିବା ପାଇଁ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଥିଲେ ।

Get real time updates directly on you device, subscribe now.