fbpx

ପାହାଡ଼ ଭିତରୁ ମିଳିଲା ୩୦ ଫୁଟ ଲମ୍ବର ଡେଣା ଥିବା ବିଶାଳକାୟ ଜୀବ: ଉକ୍ତ ସ୍ଥାନରୁ ମିଳିଥିଲା ଡାଇନୋସରର ଜୀବାଶ୍ମ

ନୂଆଦିଲ୍ଲୀ: ପୃଥିବୀପୃଷ୍ଠରୁ ଏକ ବିଶାଳକାଳୟ ଜୀବର ସନ୍ଧାନ ମିଳିଛି । ତେବେ ଏହି ଜୀବର ଡେଣାର ଲମ୍ବ ୩୦ ଫୁଟ ରହିଥିବା ବେଳେ ସେ ଉଡ଼ିପାରୁଥିବା ନେଇ ତା’ର ଜୀବାଶ୍ମରୁ ସ୍ପଷ୍ଟ ହୋଇଛି । ତେବେ ଉକ୍ତ ପଶୁଟି ଟେରୋସର ପ୍ରଜାତିର ହୋଇଥିବା ବେଳେ ବୈଜ୍ଞାନିକମାନେ ତା’ର ନାମ ରଖିଛନ୍ତି ‘ଡ୍ରାଗନ୍ ଅଫ୍ ଡେଥ୍’ ବା ‘ମୃତ୍ୟୁର ଡ୍ରାଗନ’ । ଏହି ଜୀବଟି ଦକ୍ଷିଣ ଆମେରିକାର ସବୁଠାରୁ ବଡ଼ ଜୀବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ରିସର୍ଚ୍ଚ ରିପୋର୍ଟ ମୁତାବକ, ମେଣ୍ଡୋଜା ସ୍ଥିତ ଏକ ଆଉଟକ୍ରପ ପ୍ଲଟିୟର ଫର୍ମେସନରୁ ଦୁଇଟି ବିଶାଳକାୟ ଉଡ଼ାନ୍ତ ସରିସୃପଙ୍କ ସନ୍ଧାନ ମିଳିଛି । ଏହି ଦୁଇ ଜୀବଙ୍କ ଡେଣାର ଲମ୍ବ ପାଖାପାଖି ୨୩ ଫୁଟ ଓ ୩୦ ଫୁଟ ହେବ ବୋଲି ନମୂନାରୁ ଜଣାପଡ଼ିଛି । ଆର୍ଜେଣ୍ଟିନାର ଗବେଷକଙ୍କ ମତରେ, ଟୋରୋସର ଫ୍ୟାମିଲି ଆଜାଡାରଚିଡସ ପାଖାପାଖି ୬.୬ରୁ ୧୪.୬ କୋଟି ବର୍ଷ ପୂର୍ବରୁ ଦେଖାଯାଉଥିଲେ ।

ମୁଖ୍ୟ ଗବେଷକ ଲିଓନାର୍ଡୋ ଡି. ଅର୍ଟିଜ ଡେଭିଡ କହିଛନ୍ତି ଯେ, ଆଜାଡାରଚିଡସ ନିଜର ବିଶାଳକାୟ ଖପୁରୀ, ଦୀର୍ଘ ଲମ୍ବ ବିଶିଷ୍ଟ ବେକ, ମଜବୁତ ଶରୀର ପାଇଁ ଜଣାଶୁଣା ଥିଲେ । ଏହି ଦୁଇ ଜୀବ ଥାନାଟୋସଦ୍ରାକୋନ ଅମରୁ ପ୍ରଜାତିର ଅଟନ୍ତି । ଏହି ଜୀବମାନେ ଉକ୍ତ ଜିନର ଏକମାତ୍ର ପ୍ରଜାତି ଅଟନ୍ତି । ଏହାକୁ ଗ୍ରୀକ ଭାଷାରେ ‘ମୃତ୍ୟୁର ଡ୍ରାଗନ’ କୁହାଯାଇଥାଏ । ଅମାରୁରେ ଏହାକୁ ‘ଉଡ଼ାନ୍ତା ସାପ’ କୁହାଯାଇଥାଏ । ମଣ୍ଡୋଜାର ରାଜଧାନୀ ଠାରୁ ୮୦୦ କିମି ଦୂର ଏକ କନଷ୍ଟ୍ରକସନ ପ୍ରୋଜେକ୍ଟର ଖୋଦନ ସମୟରେ ଏହି ଜୀବମାନଙ୍କର ଜୀବାଶ୍ମ ମିଳିଥିଲା । ମଣ୍ଡୋଜାରେ ଆମେରିକାର ସବୁଠାରୁ ଉଚ୍ଚ ପାହାଡ଼ ଅକନକାଗୁଆ ରହିଥିବା ବେଳେ ସେଠାରୁ ବୈଜ୍ଞାନିକମାନେ ଡାଇନୋସରର ଜୀବାଶ୍ମର ସନ୍ଧାନ କରିଥାନ୍ତି ।

ଗତ ୨୦୧୬ରେ ଉକ୍ତ ପାହାଡ଼ରୁ ବିଶ୍ୱର ସର୍ବବୃହତ୍ ଡାଇନୋସରର ଜୀବାଶ୍ମ ମିଳିଥିଲା । ବର୍ତ୍ତମାନ ଏହି ଜୀବର ଜୀବାଶ୍ମ ମଣ୍ଡୋଜାର ନ୍ୟାସନାଲ ୟୁନିଭରସିଟି ଅଫ୍ କ୍ୟୁୟୋରେ ଲ୍ୟାବ ଓ ଡାଇନୋସର ସଂଗ୍ରହାଳୟରେ ରଖାଯାଇଛି । ଏହି ଗବେଷଣାର ସବିଶେଷ ରିପୋର୍ଟ ଆସନ୍ତା ସେପ୍ଟମ୍ବର ମାସର ପତ୍ରିକାରେ ପ୍ରକାଶିତ ହେବ ।

Get real time updates directly on you device, subscribe now.