fbpx

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ : ପୁଣି ୭ଜଣ ଚିହ୍ନଟ

ଓଡିଶା ଭାସ୍କର : ସାରା ରାଜ୍ୟରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡ଼ରେ ପୁଣି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ଛୁଇଁଛି । ରାଜ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି । ଗତ ଜାନୁଆରି ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଗଷ୍ଟ ୨୩ରେ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ ଜଣେ ବ୍ୟକ୍ତିଙ୍କର ଏହି କାରଣରୁ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ଡାକ୍ତର କହିଛନ୍ତି ଯେ, ତାଙ୍କ ଦେହରେ ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇଥିଲା, କିନ୍ତୁ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ତେବେ ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସାଧାରଣତତଃ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଥାଏ । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି ।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଥାଏ । ଏହି ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୀଷଣ ଜ୍ୱର ହେବା ସହ ମୁଣ୍ଡ ବୁଲାଇବା ଓ ମାଂସପେଶୀ ଦରଜ ହୋଇଥାଏ । ପୋକ କାମୁଡିଥିବା ସ୍ଥାନ କୁଣ୍ଡେଇ ହେବା ସହ କିଛି ସମୟ ପରେ କଳା ପଡିଯାଏ । ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ୍ ସମୟରେ ପରୀକ୍ଷା କରି ଚିକିତ୍ସା କରାଇଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.