fbpx

ଆଜିଠୁ ଆରମ୍ଭ ବିଧାନସଭା ମୌସୂମୀ ଅଧିବେଶନ: ପ୍ରଥମ ମହିଳା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ୮ଦିନିଆ ସ୍ୱଳ୍ପ ଅଧିବେଶନ କାଳରେ ଏହା ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୂଖ । ତେବେ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଗୃହ ପରିଚାଳନା କରିବେ ବୋଲି ସୂଚନା ଦିଆଯାଇଛି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ ।

ଆସନ୍ତାକାଲି ବା ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କୌଣସି କାର୍ୟ୍ୟ ଦିବସ ରହିବ ନାହିଁ । ତେବେ ସରକାରୀ କାର୍ୟ୍ୟଦିବସ ୩ ଦିନ ୨୫ରୁ ୨୭ ସେପ୍ଟେମ୍ବର ପର୍ୟ୍ୟନ୍ତ ରଖାଯାଇଛି । ପ୍ରଥମ ଅତିରିକ୍ତ ବଜେଟ୍ ପାଇଁ ଆଗତ ଅନୁଦାନ ଦାବି ଉପରେ ୨୮ ଓ ୩୦ରେ ଆଲୋଚନା ହେବ । ପ୍ରଥମ ଖର୍ଚ୍ଚଦାବି ଆଲୋଚନା ପରେ ପାରିତ ଲାଗି ଅକ୍ଟୋବର ୩ରେ ଉପସ୍ଥାପନ କରାଯିବ । ଅଧିବେଶନର ଶେଷ ଦିନଟି ଘରୋଇ ସଦସ୍ୟଙ୍କ କାର୍ୟ୍ୟପାଇଁ ସଂରକ୍ଷିତ ରଖାଯାଇଛି । ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗୁରୁବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସୁରକ୍ଷା ପାଇଁ ୫ଟି କେ ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ଜଣ ଅତିରିକ୍ତ ଡିସିପି, ୧୯ଜଣ ଏସିପି, ୨୦ଜଣ ଇନ୍ସପେକ୍ଟର, ୭୫ଜଣ ଏସଆଇଙ୍କୁ ନିୟୋଜିତ କରାଯାଇଛି । ସିସିଟିଭି ନଜରରେ ବିଧାନସଭାକୁ ରଖାଯାଇଛି । ବିକ୍ଷୋଭ, ଆନ୍ଦୋଳନ, ରାଲି ଓ ଧାରଣା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

ମୌସୂମୀ ଅଧିବେଶନ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଧାରଣାସ୍ଥଳକୁ ସିସିଟିଭି ସର୍ଭେଲାନ୍ସରେ ରଖାଯିବାର ବ୍ୟବସ୍ଥା ହୋଇଛି । ଶୁକ୍ରବାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । ବିଜେଡି ପକ୍ଷରୁ ରାଜସ୍ୱମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏହି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଥମ ଥରପାଇଁ ଜଣେ ମହିଳା ବାଚସ୍ପତି ହେବା ନିମନ୍ତେ ସୁଯୋଗ ଦେଇଥିବାରୁ ଶ୍ରୀମତୀ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମ ପୃଷ୍ଠାର ଅବଶିଷ୍ଟାଂଶ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିଞ୍ଝାରପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

Get real time updates directly on you device, subscribe now.