ବାପା ନାଁରେ କଳଙ୍କ; ଅବାଟକୁ ଗଲା, କହିଲେ ଶୁଣିଲାନି… କୁରାଢ଼ୀରେ ପିଟି ପିଟି ଠିକ୍ ଜାଗାକୁ ପଠେଇଦେଲି

ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଘଟଣା

ଉତ୍ତରପ୍ରଦେଶ: ଯଦି ପିଲା ଅବାଟକୁ ଯାଆନ୍ତି ତାଙ୍କୁ ବୁଝାଯାଏ। ତାଙ୍କୁ ଆକଟ କରାଯାଏ। ହେଲେ ପିଲା ଅବାଟକୁ ଗଲା ବୋଲି ଏମିତି କଲା ବାପା। ଯାହା ଶୁଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ।

ରାତିର କିଟିମିଟି ଅନ୍ଧାର। କିଛି ପାଟି ଶୁଭି ବାପାର ନିଦ ଭାଙ୍ଗିଲା। ଘରେ ଦେଖିଲା ଝିଅ ନାହିଁ। ତାପରେ ପାଟି ଶୁଣି ବିଲ ଆଡ଼କୁ ବାପାର ପାଦ ବଢ଼ିଲା। ସେଠି ଯାହା ଦେଖିଲା ବାପାର ରକ୍ତ ଗରମ ହୋଇଗଲା।

ରାଗ ମୁଣ୍ଡକୁ ଉଠିଗଲା ଶେଷରେ ଝିଅକୁ ମାରିଦେଲା ବାପା।ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରୁ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ମଙ୍ଗଳବାର ଦିନ ଜସରାଣା ଥାନା ଅଞ୍ଚଳର ନାଗଲା ଜାଟ ଗାଁରେ ଜଣେ ନାବାଳିକା ଝିଅର ହତ୍ୟା ହୋଇଥିବା ଖବର ଆସିଥିଲା। ବିଲରୁୁ ମିଳିଥିବା ୧୭ ବର୍ଷୀୟା ଝିଅର ମୃତଦେହର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ତଦନ୍ତରୁ ଜଣାପଡିଛି ଯେ ବାପା ନିଜେ ତାଙ୍କ ଝିଅକୁ ହତ୍ୟା କରିଛନ୍ତି।

ଏହି ହତ୍ୟା ପଛରେ ପାରିବାରିକ ସମ୍ମାନର କାରଣ ରହିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ନାବାଳିକା ନେହାର ପଡ଼ୋଶୀ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା।

ସୋମବାର ବିଳମ୍ବିତ ରାତିରେ ସେ ଯୁବକଙ୍କୁ ଭେଟିବାକୁ କ୍ଷେତକୁ ଯାଇଥିଲେ। ଏହି ସମୟରେ, ଝିଅର ବାପା ଇନ୍ଦ୍ରପାଲ ମଧ୍ୟ ତାଙ୍କୁ ଖୋଜି ଖୋଜି ସେଠାରେ ପହଞ୍ଚିଥିଲେ।

ବାପା ଝିଅକୁ ହତ୍ୟା କରିଛି

ଯୁବକଙ୍କ ସହ ତାଙ୍କ ଝିଅକୁ ଆପତ୍ତିଜନକ ଅବସ୍ଥାରେ ଦେଖି ସେ ନିୟନ୍ତ୍ରଣ ହରାଇ ବସିଥିଲେ। କ୍ରୋଧିତ ବାପା ତାଙ୍କ ଝିଅକୁ କୁରାଢ଼ିରେ ପିଟି ହତ୍ୟା କରିଥିଲେ।

ଘଟଣା ପରେ ଇନ୍ଦ୍ରପାଲ ଘରକୁ ଫେରି ଶୋଇପଡ଼ିଥିଲେ। ସକାଳେ ଗାଁ ଲୋକେ କ୍ଷେତରେ ଝିଅର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।

ପୋଲିସ ମାମଲା ତଦନ୍ତ କରି ଅଭିଯୁକ୍ତ ବାପା ଇନ୍ଦ୍ରପାଲଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କୁରାଢ଼ି ମଧ୍ୟ ଉଦ୍ଧାର କରାଯାଇଛି।

ପୋଲିସ ତଦନ୍ତ ଧରାପଡ଼ିଲା ସତ୍ୟ

ବର୍ତ୍ତମାନ ଅଭିଯୁକ୍ତଙ୍କ ବିରୁଦ୍ଧରେ ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗ୍ରାମବାସୀ କହିଛନ୍ତି ଯେ ମୃତକଙ୍କ ବାପା ଇନ୍ଦ୍ରପାଲଙ୍କ ଆଚରଣ ସର୍ବଦା ଅଜବ ଥିଲା। ଜଣେ ବାପା ତାଙ୍କ ଝିଅ ସହିତ ଏପରି କରିପାରିବେ ବୋଲି କେହି ବିଶ୍ୱାସ କରିପାରୁ ନଥିଲେ।
ଏହି ଘଟଣା ପରେ ଝିଅଟିର ପରିବାରରେ ଶୋକର ପରିବେଶ ରହିଛି। ଏହି ଘଟଣା ଦେଖି ଗାଁ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୋଲିସ ଏହି ମାମଲାର ସମସ୍ତ ଦିଗ ଯାଞ୍ଚ କରୁଛି।