କାର ଭିତରେ ଗୋଟିଏ ପରିବାରର ୩ ଶବ, ସ୍ତ୍ରୀ ଓ ନାବାଳକ ପୁଅକୁ ଗୁଳି କରି ବାପାର ଆତ୍ମହତ୍ୟା
ସ୍ତ୍ରୀ ଓ ପୁଅକୁ ଗୁଳିକରି ନିଜ ମୁଣ୍ଡକୁ ଗୁଳିମାରି ଆତ୍ମହତ୍ୟା।
ପଞ୍ଜାବ: ବାପାର ଜଘନ୍ୟ କାଣ୍ଡ। କାର ଭିତରେ ପଡିଛି ଗୋଟିଏ ପରିବାରର ୩ଟି ମୃତଦେହ। ମାଆ, ବାପା ଓ ନାବାଳକ ପୁଅର ମୃତ୍ୟୁ। ଏହା ମୃତ୍ୟୁ ନୁହେଁ ଏହା ହେଉଛି ହତ୍ୟାକାଣ୍ଡ।
ଆଉ ହତ୍ୟା କରିଛି ନିଜେ ବାପା। କଥାଟି ଟିକେ ଅଜବ ଲାଗୁଛି ନା, ତେବେ ଆସନ୍ତ ଜାଣିବା ସମ୍ପୂର୍ଣ୍ଣ ଘଟଣା। ପଞ୍ଜାବର ପଟିଆଲାର ବାନୁର ତେପଲା ଗାଁ ରାସ୍ତା।
ଯେଉଁ ରାସ୍ତାଟି ନିଛାଟିଆ ଏବଂ ବିଲରେ ପରିପୂର୍ଣ୍ଣ। ସ୍ଥାନୀୟ ଲୋକ ଦେଖିବାକୁ ପାଇଲେ ଏକ କାର ଛିଡ଼ା ହୋଇଛି। ଆଉ କାର ଭିତରେ ଦେଖିଲା ବେଳକୁ ପଡି ରହିଛି ୩ ଟି ମୃତଦେହ।
ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ବାନୁର ପୋଲିସକୁ ଖବର ଦେଇଥିଲେ। ଆଉ ପୋଲିସ ମଧ୍ୟ ବିଳମ୍ୱ ନକରି ସଙ୍ଗେ ସଙ୍ଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା।
ଆଉ ଦେଖୁ ଦେଖୁ ଜଣା ପଡିଲା ଯେ, ମୃତ ବାପାଙ୍କ ପାଖରେ ଏକ ବନ୍ଧୁକ ରହିଛି। ଯେଉଁ ବନ୍ଧୁକର ଗୁଳି ପରିବାର ୩ ଜଣଙ୍କ ମୁଣ୍ଡରେ ବାଜିଛି। ଆଉ ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଲା ଯେ, ଏହା ଏକ ଆତ୍ମହତ୍ୟା କେସ୍ ଅଛି।
କାରଣ ବାପା ଜଣକ ପ୍ରଥମେ ନିଜ ସ୍ତ୍ରୀ ଓ ନାବାଳକ ପୁଅକୁ ନିଜ ବନ୍ଧୁକରେ ଗୁଳି କରିଥିଲେ। ପରେ ସେହି ଗାଡ଼ି ଭିତରେ ନିଜ ମୁଣ୍ଡକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ। ତେବେ ହତ୍ୟା ଏବଂ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ, ପୋଲିସ ଅଧିକ ତଦନ୍ତ ଚଳାଇଛି।