fbpx

ସାରା ଦେଶର ୧୧୩୬ ଜଣ ବିଧାୟକଙ୍କ ବିରୋଧରେ ରହିଛି ଗମ୍ଭୀର ଅପରାଧିକ ମାମଲା: ADR ଓ NEW ରିପୋର୍ଟ ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏଥିସହିତ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ମଧ୍ୟରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ (ଏନଇଡବ୍ଲ୍ୟୁ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ ସାରା ଦେଶର ବିଭିନ୍ନ ରାଜ୍ୟର ବିଧାନସଭା ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ବିଧାୟକଙ୍କ ଆଫିଡେଭିଟ୍ ଆଧାରରେ ତଥ୍ୟ ପ୍ରକାଶିତ ହୋଇଛି । ନିର୍ବାଚନ ପୂର୍ବରୁ ବିଧାୟକମାନେ ଦାଖଲ କରିଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ବିଶ୍ଲେଷଣ କରାଯାଇଥିବା ବିଧାୟକଙ୍କ ମଧ୍ୟରୁ ୧,୧୩୬ ଜଣ ବା ପାଖାପାଖି ୨୮ ପ୍ରତିଶତଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ସେଥିମଧ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳା ବିରୋଧୀ ଅପରାଧ ସାମିଲ ରହିଛି । ସାରା ଦେଶରେ ୪୪ ପ୍ରତିଶତ ଏପରି ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର ହୋଇଛି । କେରଳରେ ସବୁଠାରୁ ଅଧିକ ୭୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଦାୟର ହୋଇଛି । ୨୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ରହିଥିବା ୪,୦୩୩ ଜଣ ବିଧାୟକଙ୍କ ମଧ୍ୟରୁ ୪,୦୦୧ ଜଣ ବିଧାୟକଙ୍କୁ ଏଥିରେ ସାମିଲ କରାଯାଇଥିଲା ।

ରାଜ୍ୟଗୁଡ଼ିକର ତଥ୍ୟ ଦେଖିଲେ କେରଳରେ ୧୩୫ ଜଣଙ୍କ ମଧ୍ୟରୁ ୭୦ ପ୍ରତିଶତ ଅର୍ଥାତ ୯୫ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ବିହାରରେ ୨୪୨ ଜଣଙ୍କ ମଧ୍ୟରୁ ୧୬୧ ଜଣ, ଦିଲ୍ଲୀରେ ୭୦ ଜଣଙ୍କ ମଧ୍ୟରୁ ୪୪ ଜଣ, ମହାରାଷ୍ଟ୍ରରେ ୨୮୪ ଜଣଙ୍କ ମଧ୍ୟରୁ ୧୭୫ ଜଣ, ତେଲେଙ୍ଗାନାରେ ୧୧୮ ଜଣଙ୍କ ମଧ୍ୟରୁ ୭୨ ଜଣ, ତାମିଲନାଡ଼ୁରେ ୨୨୪ ଜଣଙ୍କ ମଧ୍ୟରୁ ୧୩୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବିଧାୟକମାନେ ତଥ୍ୟ ପ୍ରଦାନ କରିଛନ୍ତି ।

ଦିଲ୍ଲୀରେ ୫୩ ପ୍ରତିଶତ ବିଧାୟକ ଅପରାଧିକ ମାମଲା ସହ ଜଡ଼ିତ ରହିଥିବା ବେଳେ ଏହା ବିହାରରେ ୫୦ ପ୍ରତିଶତ, ମହାରାଷ୍ଟ୍ରରେ ୪୦ ପ୍ରତିଶତ, ଝାଡ଼ଖଣ୍ଡରେ ୩୯ ପ୍ରତିଶତ, ତେଲେଙ୍ଗାନାରେ ୩୯ ପ୍ରତିଶତ, ଉତ୍ତରପ୍ରଦେଶରେ ୩୮ ପ୍ରତିଶତ ରହିଛି । ୧୧୪ ଜଣ ବିଧାୟକଙ୍କ ନାମରେ ମହିଳା ବିରୋଧୀ ମାମଲା ଦାୟର ହୋଇଥିବା ବେଳେ ୧୪ ଜଣ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଇପିସି ଧାରା ୩୭୬ରେ ଦାୟର ହୋଇଛି ।

ପ୍ରତି ବିଧାୟକଙ୍କର ଆଭରେଜ ସମ୍ପତ୍ତି ୧୩.୬୩ କୋଟି ରହିଛି । ଅପରାଧିକ ମାମଲା ସହ ଜଡ଼ିତ ଥିବା ବିଧାୟକଙ୍କ ଆଭରେଜ ସମ୍ପତ୍ତି ୧୬.୩୬ କୋଟି ରହିଥିବା ବେଳେ ବିନା ଅପରାଧିକ ମାମଲା ଥିବା ବିଧାୟକଙ୍କ ଆଭରେଜ ସମ୍ପତ୍ତି ୧୧.୪୫ କୋଟି ଟଙ୍କା ରହିଛି । କର୍ଣ୍ଣାଟକର ମୋଟ ୨୨୩ ବିଧାୟକଙ୍କ ଆଭରେଜ ସମ୍ପତ୍ତି ୬୪.୩୯ କୋଟି, ଆନ୍ଧ୍ରଦେଶର ୧୭୪ ବିଧାୟକଙ୍କର ଆଭରେଜ ସମ୍ପତ୍ତି ୨୮.୨୪ କୋଟି ଓ ମହାରାଷ୍ଟ୍ରର ୨୮୪ ବିଧାୟକଙ୍କର ଆଭରେଜ ସମତ୍ତି ୨୩.୫୧ କୋଟି ରହିଛି ।

୪୦୦୧ ଜଣ ବିଧାୟକଙ୍କ ମଧ୍ୟରୁ ୮୮ ପ୍ରତିଶତ ଅରବପତି । ସେମାନଙ୍କ ପାଖରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି । କର୍ଣ୍ଣାଟକରେ ୨୨୩ ଜଣ ବିଧାୟକଙ୍କ ମଧ୍ୟରୁ ୩୨ ଜଣ ଅବରବପତି ଅଟନ୍ତି । ଅରୁଣାଚଳ ପ୍ରଦେଶରେ ୫୯ ଜଣଙ୍କ ମଧ୍ୟରୁ ୪ ଜଣ, ଆନ୍ଧ୍ରପ୍ରଦେଶର ୧୭୪ ଜଣଙ୍କ ମଧ୍ୟରୁ ୧୦ ଜଣ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶରରେ ମଧ୍ୟ ଅରବପତି ବିଧାୟକ ରହିଛନ୍ତି ।

Get real time updates directly on you device, subscribe now.