fbpx
BJD SKY
BJD SKY

ନଭେମ୍ବର ପହିଲାରୁ ଲାଗୁ ହେଲା ସାତଟି ବଡ଼ ନିୟମ: LPG, ବୀମା, ବିଜୁଳି, OTP, GST, ପେନସନ, WhatsApp ସେବା ବଦଳିଗଲା

BJD

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ପହିଲାରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ଆଜିଠାରୁ ମଧ୍ୟ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନଭେମ୍ବର ୧ ତାରିଖରୁ ବଦଳିବାକୁ ଯାଉଥିବା ନିୟମ ଦ୍ୱାରା ସାଧାରଣ ଜନତା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ଜରୁରୀ । ଆଜିଠାରୁ ଏଲପିଜି, ବୀମା, ବିଜୁଳି, ରୋଷେଇ ସିଲିଣ୍ଡର ଓଟିପି ବେସଡ୍ ଡେଲିଭରି, ଜିଏସଟି, ପେନସନ, ହ୍ୱାଟସଆପ୍ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଘଟିବ ।

ପ୍ରଥମ- ତୈଳ କ୍ଷେତ୍ରରୁ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ପେଟ୍ରୋଲିୟମ କମ୍ପାନୀମାନେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୧୫ ଟଙ୍କା ହ୍ରାସ କରିଛନ୍ତି । ଅନ୍ୟପକ୍ଷରେ ଘରୋଇ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି । ଏହି ନୂଆ ନିୟମ ଲାଗୁ ହେବା ପରେ ଏବେ ଦେଶର ମହାନଗରମାନଙ୍କରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୮୫୯.୫୫ରୁ ହ୍ରାସ ପାଇ ୧୭୪୪ ଟଙ୍କାରେ ପହଞ୍ଚିଛି ।

ଦ୍ୱିତୀୟ- ଘରୋଇ ଏଲପିଜି ସିଲିଣ୍ଡରର ଡେଲିଭରି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଣିକି ରୋଷେଇ ସିଲିଣ୍ଡର ବୁକିଂ କରିବା ପରେ ଗ୍ରାହକଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଏହାକୁ ଡେଲିଭରି ବଏକୁ ଶେୟାର କରିବା ପରେ ସିଲିଣ୍ଡର ଡେଲିଭରି କରାଯିବ ।

ତୃତୀୟ- ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆ) ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ବୀମାକର୍ତ୍ତାଙ୍କମାନେ କେୱାଇସି ଦେବାକୁ ପଡ଼ିବ । ପୂର୍ବରୁ ଅଣ ଜୀବନ ବୀମା ପଲିସି କିଣିବା ସମୟରେ କେୱାଇସି ସ୍ୱେଚ୍ଛାକୃତ ଥିଲା, ମାତ୍ର ଏବେ ତାହା ବାଧ୍ୟତାମୂଳକ କରାଯାଇଛି । ଯଦି ବୀମା କ୍ଲେମ ସମୟରେ କେୱାଇସି ଡକ୍ୟୁମେଣ୍ଟ ନଦେବେ ତେବେ କ୍ଲେମ ରଦ୍ଦ ହୋଇଯାଇପାରେ ।

ଚତୁର୍ଥ- ଦିଲ୍ଲୀବାସୀଙ୍କ ପାଇଁ ନୂଆ ବିଜୁଳି ନିୟମ ଲାଗୁ କରାଯାଉଛି । ଯଦି ଆପଣ ଦିଲ୍ଲୀରେ ରହୁଥିବେ ଓ ବିଜୁଳି ସବସିଡିର ଲାଭ ନେଉଥିବେ, ତେବେ ଏହି ପରିବର୍ତ୍ତନ ଆପଣଙ୍କ ଉପରେ ପ୍ରଭାବ ପକାଇବ । ଯେଉଁମାନେ ରେଜିଷ୍ଟ୍ରେସନ କରିନଥିବେ, ସେମାନଙ୍କୁ ବିଜୁଳି ସବସିଡି ମିଳିବ ନାହିଁ । ଏହି ଜରୁରୀ କାର୍ଯ୍ୟର ଅନ୍ତିମ ତାରିଖ ଗତ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ପଞ୍ଚମ- ଆଜିଠାରୁ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ପରିବର୍ତ୍ତନ ହୋଇଛି । ଏଣିକି ୫ କୋଟି ଟଙ୍କାରୁ କମ୍ ଟର୍ଣ୍ଣଓଭର କରୁଥିବା କରଦାତାଙ୍କୁ ଜିଏସଟି ରିଟର୍ଣ୍ଣ କ୍ଷେତ୍ରରେ ଚାରି ଅଙ୍କ ବିଶିଷ୍ଟ ଏଚଏସଏନ କୋର୍ଡ ଲେଖିବା ବାଧ୍ୟତାମୂଳକ ହେବ । ଏହା ପୂର୍ବରୁ ଦୁଇ ଅଙ୍କ ପାଇଁ ଏଚଏସଏନ କୋର୍ଡ ଦିଆଯାଉଥିଲା ।

ଷଷ୍ଠ- ଆଜିଠାରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ କରୁଛି । ଏବେ ପେନସନଧାରୀଙ୍କୁ ଜୀବନ ପ୍ରମାଣପତ୍ର ଜମା କରିବା ପାଇଁ ବ୍ୟାଙ୍କୁ ଯିବାକୁ ପଡ଼ିବ ନାହିଁ । ଗ୍ରାହକମାନେ ଏଣିକି ଭିଡିଓ କଲ ଜରିଆରେ ନିଜର ଜୀବନ ପ୍ରମାଣପତ୍ର ଜମା କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସପ୍ତମ- ଆଜିଠାରୁ ଅନେକ ଫୋନରେ ହ୍ୱାଟସଆପ ବନ୍ଦ ହୋଇଯିବ । ଆଣ୍ଡ୍ରଏଡ ୪.୧ ବା ତା’ଠାରୁ ଅଧିକ, ଆଇଓଏସ ୧୦ ବା ତା’ଠାରୁ ଅଧିକ, କେଏଆଇଓଏସ ୨.୫.୦ ବା ତା’ଠାରୁ ଅଧିକ ଥିବା ସ୍ମାର୍ଟଫୋନମାନଙ୍କରେ କେବଳ ହ୍ୱାଟସଆପ୍ କାମ କରିବ ।

Get real time updates directly on you device, subscribe now.