fbpx

ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ଦିନକୁ ପ୍ରାଣ ହରାଉଛନ୍ତି ୬ ହଜାର ଲୋକ: ବୟସ୍କ ହେଉଛନ୍ତି ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫୁସଫୁସ କ୍ୟାନସର ସମେତ ଅନେକ ପ୍ରକାରର ଭୟଙ୍କର ବିମାରୀ ସାମ୍ନାକୁ ଆସୁଛି । ତେବେ ଆଜିର ସମୟରେ ବାୟୁ ପ୍ରଦୂଷଣ କୌଣସି କ୍ୟାନସର ଠାରୁ କମ୍ ନୁହେଁ । ବାୟୁ ପ୍ରଦୂଷଣ ଦ୍ୱାରା ବର୍ଷକ ମଧ୍ୟରେ ୧୬ ଲକ୍ଷ ଭାରତୀୟଙ୍କ ପ୍ରାଣହାନୀ ଘଟିଛି । ତେବେ ଏପରି ଭାବେ ଦେଶରେ ଦୈନିକ ୬ ହଜାରରୁ ଅଧିକ ଲୋକ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁବରଣ କରୁଛନ୍ତି । ତେଣୁ ଆଜିର ସମୟରେ ବାୟୁ ପ୍ରଦୂଷଣ ଆମ ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ଦିଲ୍ଲୀ ଏନସିଆରରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୩୯ ରେକର୍ଡ କରାଯାଇଛି, ଯାହାକି ଅତ୍ୟନ୍ତ ଗମ୍ଭୀର ଶ୍ରେଣୀରେ ରହିଛି । ପ୍ରଦୂଷଣ କାରଣରୁ ଦିଲ୍ଲୀର ବାୟୁ ବିଷ ପାଲଟି ଯାଇଛି । ତେବେ ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ମୋଟ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିରେ ୧୬ ଲକ୍ଷ ଭାରତୀୟ ରହିଛନ୍ତି । ଏଥିରେ ବୟସ୍କ ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥିବା ଦେଖାଯାଇଛି ।

ଦି ଲାନ୍ସେଟ ପତ୍ରିକା ଦ୍ୱାରା ୨୦୧୯ର ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ତେବେ ଜଣେ ବରିଷ୍ଠ ବିଶେଷଜ୍ଞଙ୍କ ମତରେ, ବାୟୁ ପ୍ରଦୂଷଣ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ନଡ଼ା ଜାଳିବା ଓ ଯାନରୁ ନିର୍ଗତ ଧୂଆଁ କାରଣରୁ ବାୟୁ ବେଶୀ ପ୍ରଦୂଷିତ ହେଉଛି । ପ୍ରଦୂଷଣ କାରଣରୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଉଛି । କୋଭିଡ୍ ମହାମାରୀ ପରେ ଶ୍ୱାସ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ବେଶି ବୃଦ୍ଧି ପାଇଛି ।

Get real time updates directly on you device, subscribe now.