ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟରେ ୨୯୫ ରନରେ ବିଜୟୀ ହେବା ଫଳରେ ଦ୍ୱିତୀୟ ଟେଷ୍ଟରେ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରାଜୟବରଣ କରିଛି । ଆଡିଲେଡ୍ ଟେଷ୍ଟର ପ୍ରଥମ ଦିନରେ ଭାରତ ୧୮୦ ରନରେ ଅଲଆଉଟ୍ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆ ୩୩୭ ରନ୍ ସଂଗ୍ରହ କରି ୧୫୭ ରନରେ ଆଗୁଆ ରହିଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୫ ରନରେ ସୀମିତ ରହିବା ପରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ସହଜ ବିଜୟ ହାସଲ କରିନେଇଥିଲା । ତେବେ ପ୍ରଥମ ଟେଷ୍ଟର ପରାଜୟରୁ ଅଷ୍ଟ୍ରେଲିଆ ଶିକ୍ଷାଲାଭ କରିଥିଲା ବେଳେ ଟିମ୍ ଇଣ୍ଡିଆ କିନ୍ତୁ ନିଜର ଭୁଲ୍ ପୁନର୍ବାର ଦୋହରାଇଥିଲା । ଏହାଫଳରେ ସ୍ଥିତି ଏବେ ୧-୧ରେ ବରାବର ରହିଛି । ତେବେ ଭାରତ ଆଡିଲେଡ୍ ଟେଷ୍ଟରେ ହାରିବା ପଛରେ ଅନେକ ବଡ଼ କାରଣ ରହିଛି ।
୧- ଆଡିଲେଡ ଟେଷ୍ଟରେ ଭାରତର ଟପ୍ ବ୍ୟାଟିଂ ଅର୍ଡର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଭାରତ ପ୍ରଥମ ଇନିଂରେ ୧୮୦ ରନ୍ ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୭୫ରେ ସୀମିତ ରହିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କିନ୍ତୁ ପ୍ରଥମ ଇନିଂସରେ ଭାରତ ଡବଲ୍ ରନ୍ ସଂଗ୍ରହ କରିପାରିଥିଲା ।
୨- ଉଭୟ ଇନିଂସରେ ଯଶସ୍ୱୀ ଜୟସ୍ୱାଲ (୦, ୨୪), କେ.ଏଲ ରାହୁଲ (୩୭, ୭), ବିରାଟ କୋହଲି (୭, ୧୧), ରୋହିତ ଶର୍ମା (୩, ୬), ଶୁବମନ ଗିଲ (୩୧, ୨୮) ରନ୍ ସଂଗ୍ରହ କରି ଦୁର୍ବଳ ବ୍ୟାଟିଂର ପରିଚୟ ଦେଇଥିଲେ । ସବୁଠାରୁ ବଡ଼ କଥା ଉଭୟ ଇନିଂସରେ ଜଣେ ବି ଭାରତୀୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ ନ କରିବା ବଡ଼ ଲଜ୍ଜାଜନକ ଘଟଣା ।
୩- ଏହି ଟେଷ୍ଟରେ ଭାରତ ଉଭୟ ବ୍ୟାଟିଂ ଓ ବୋଲଂରେ ଫେଲ୍ ମାରିଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୦୩ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଟ୍ରେଭିସ ହେଡ ଓ ଲାସୁସେନଙ୍କୁ ଭାରତୀୟ ବୋଲରମାନେ ଆଉଟ୍ କରିପାରି ନଥିଲେ । ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମ ଇନିଂସର ଭୁଲ୍ ଦୋହରାଇଥିଲେ ।
୪- ଭାରତୀୟ ଅଧିନାୟକ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ତାଙ୍କର ଭୁଲ୍ ରଣନୀତି ଥିଲା ବୋଲି ପ୍ରମାଣିତ ହୋଇଥିଲା । ପର୍ଥର ବିଜୟକୁ ରୋହିତ ଆଡିଲେଡରେ କାଏମ୍ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ସ୍ଥିତି ଦେଖି ଫର୍ମୂଲା ଆପ୍ଲାଏ କରିବାରେ ଭାରତ ଫେଲ୍ ମାରିଥିଲା ।
୫- ଆଡିଲେଡରେ ଭାରତର ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଓ କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ଫ୍ଲପ୍ ସାବ୍ୟସ୍ତ ହୋଇଛି । ପ୍ରଥମ ଟେଷ୍ଟରେ ଭାରତର ଓପନିଂ ବିଫଳ ହୋଇଥିଲେ ହେଁ ଦ୍ୱିତୀୟ ଇନିଂସରେ ଯଶସ୍ୱୀ (୧୬୧), ରାହୁଲ (୭୭) ଓ ବିରାଟ କୋହଲି (୧୦୦) ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ମାତ୍ର ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ ସତେ ଯେମିତି ମୁକ ପାଲଟି ଯାଇଥିଲା ।
୬- ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଶାନଦାର ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ କିନ୍ତୁ ଫେଲ୍ ମାରିଥିଲେ । ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଯଶପ୍ରୀତ ବୁମ୍ରା ୫ଟି ଓ ହର୍ଷିତ ରାଣା ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ଇନିଂସରେ ବୁମ୍ରା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
୭- ବରିଷ୍ଠ ଖେଳାଳିଙ୍କ ଅଭାବ ଭାରତର ପରାଜୟର ଅନ୍ୟତମ କାରଣ କୁହାଯାଇପାରେ । ଅନ୍ୟପକ୍ଷରେ ବିରାଟ, ରୋହିତଙ୍କ ପରି ସିନିୟର ଖେଳାଳିମାନେ ମଧ୍ୟ ଠିକଣା ସମୟରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ରହିଥିଲେ । ସେହିପରି ପ୍ଲେଇଂ-୧୧ ଚୟନକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।