fbpx

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତି ପାଇବେ ଜଣେ ଲେଖାଏଁ DEO, ପୂରଣ ହେବ ୭ ହଜାର ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପଞ୍ଚମ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ପଞ୍ଚାୟତ ସ୍ତରର ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯିବ । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ଡିଇଓଙ୍କୁ ପ୍ରାଥମିକ ସ୍ତରରେ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିୟମିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରିବେ ରାଜ୍ୟ ସରକାର । ଏ ନେଇ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ରାଜ୍ୟ ପ୍ରମୁଖ ମହାଲେଖାକାରଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।

ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ହଜାର ୧୪୨ଟି ଡିଇଓ ପଦବୀ ସୃଷ୍ଟି କରାଯାଇଛି । ସମ୍ପୃକ୍ତ ଡିଇଓମାନେ ବିତ୍ତ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ରାଜ୍ୟ ସରକାରଙ୍କ ଓଆରଏସପି ନିୟମ-୨୦୧୭ ଅନୁଯାୟୀ ସେମାନଙ୍କୁ ଦରମା ପ୍ରଦାନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିସାରିଥିବା ବେଳେ ଏମାନଙ୍କୁ ଗ୍ରୁପ-ସି ଓ ଗ୍ରୁପ-ଡିରେ ନିଯୁକ୍ତି ଦିଆଯିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ୬୭୯୮ ପଞ୍ଚାୟତ, ୩୧୪ ବ୍ଲକ ଓ ସମସ୍ତ ଜିଲ୍ଲାମାନଙ୍କରେ ଜଣେ ଲେଖାଏଁ ଡିଇଓଙ୍କୁ ନିଯୁକ୍ତି ମିଳିବ । ତେବେ ମୋଟ ୭୧୪୨ଟି ଡିଇଓ ପଦବୀ ପୂରଣ ହେବା ପରେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକ ଗତିଶୀଳ ହୋଇପାରିବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.