(Video) ପୋକରା କୋବି, କୁକୁର ମାଂସରେ ତିଆରି ହେଉଛି ମୋମୋ! ଚଢ଼ାଉ ପରେ ଧରାପଡ଼ିଲା ସତ

ମୂଷା ଖିଆ ସ୍ପ୍ରିଙ୍ଗରୋଲ୍ ଜବତ । ମୋମୋ ଫ୍ୟାକ୍ଟ୍ରି ମାଲିକ ଉପରେ ୨୨ ହଜାରର ଜରିମାନା ।

ମୋହାଲି: ପିଲାଠାରୁ ବୟସ୍କ ଏବେ ସଭିଏଁ ମୋମୋ ଦିୱାନା । କିଛି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ଫେଭରାଇଟ୍ ଷ୍ଟ୍ରିଟ୍ ଫୁଡ୍ ହେଉଛି ମୋମୋ । ଆପଣ ବି ବାହାରେ ମୋମୋ ଖାଇବାକୁ ପସନ୍ଦ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ…

କାରଣ ରାସ୍ତା କଡ଼ରେ ଛୋଟ ଛୋଟ ଷ୍ଟଲରେ ବିକ୍ରି ହେଉଥିବା ମୋମୋ କେଉଁଥିରୁ ତିଆରି, କ’ଣ ଏଥିରେ ମିଶାଯାଉଛି ତାହା ଜାଣିବା ନିହାତି ଦରକାର । ନିକଟରେ ପଞ୍ଜାବ ମୋହାଲିସ୍ଥିତ ମାତାଉରର ଏ ମୋମୋ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି ସ୍ଥାନୀୟ ମ୍ୟୁନିସିପାଲଟି ଟିମ୍ ।

ମୋମୋ ଫ୍ୟାକ୍ଟ୍ରି ଫ୍ରିଜରୁ ମିଳିଛି ଚମଡ଼ା ଛଡ଼ା କୁକୁର ମୁଣ୍ଡ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖାଲି ସେତିକି ନୁହେଁ ଫ୍ୟାକ୍ଟ୍ରିର ସ୍ଥିତି ଦେଖି ମଧ୍ୟ ଯେ କେହି ଚିନ୍ତାରେ ପଡ଼ିଯିବ ।

ଏହି ମୋମୋ ୟୁନିଟିରୁ ମୂଷା ଖାଇଥିବା ସ୍ପ୍ରିଙ୍ଗ ରୋଲ୍ ମିଳିଥିବାବେଳେ କିଛି ରୋଲ ଖଟତଳେ, ଟେବୁଲ ତଳେ ରଖାଯାଇଥିବାର ଦେଖାଯାଇଥିଲା । ଏହାପରେ ମୋମୋ ଗୁଡ଼ିକ ବାଲ୍ଟି ଓ ବଡ଼ କଣ୍ଟେନରରେ ଖୋଲାରେ ରଖାଯାଇଥିବା ଦେଖିବାକୁ ମିଳିଛି ।

ଏଥିସହ ରେଫ୍ରିଜିରେଟରରେ ମାଂସ ପଲିଥିନ୍ ଭର୍ତ୍ତି ହୋଇ ରଖାଯାଇଛି । ପୋକ ଲାଗିଥିବା କୋବି ମଧ୍ୟ ଘରର ଏଣେତେଣେ ବିଛେଇହୋଇ ପଡ଼ିଥିବା ଦେଖାଯାଇଛି । ମୋହାଲି ମୁନିସିପାଲଟି କର୍ପୋରେଶନ୍ ୩୫ କେଜି ମୋମୋ, ସ୍ପ୍ରିଙ୍ଗ ରୋଲ ସାଙ୍ଗକୁ ୫୦ କେଜିର ସଢ଼ା ମାଂସ ଜବତ କରିଛି ।

ମୋମୋ ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ୨୨ ହଜାର ଟଙ୍କାର ଫାଇନ୍ ପକାଇଥିବାବେଳେ କାଗଜପତ୍ର ଯାଞ୍ଚ ଚଳାଇଛନ୍ତି ଅଥରିଟି । ତେବେ କୁକୁର ମୁଣ୍ଡ ନେଇ ଫ୍ୟାକ୍ଟ୍ରି ମାଲିକ କହିଛନ୍ତି, ସେଠାରେ କାମ କରୁଥିବା ଲୋକ ବାହାରର ସେମାନେ କୁକୁର ମାଂସ ଖାଉଥିବାବେଳେ କୁକୁରର ଚମଡ଼ା ଛଡ଼ା ମୁଣ୍ଡ ସେମାନେ ରଖିଛନ୍ତି ।