fbpx

SCB ଦେଉଛି ଚିରିକୁଟିରେ କୋଭିଡ୍ ରିପୋର୍ଟ, ଡାକ୍ତରଙ୍କ ସାଇନ୍ ନାହିଁ କି ରହୁନି ଷ୍ଟାମ୍ପ୍

କଟକ(ଓଡ଼ିଶା ଭାସ୍କର ବ୍ୟୁରୋ): ସାରା ରାଇଜର ଲୋକେ ନିର୍ଭର କରନ୍ତି କଟକ ବଡ଼ ମେଡିକାଲ୍ ଉପରେ । ହେଲେ ଏହି ବଡ଼ ମେଡିକାଲରେ ଦେଖିବାକୁ ମିଳିଛି ବଡ଼ ଗୁମର କଥା । ମହାମାରୀ କୋଭିଡ୍ ପାଇଁ ଲୋକେ କଲବଲ ହେଉଥିବାବେଳେ ଏ ସମ୍ପର୍କିତ ରିପୋର୍ଟ ଦେବାରେ SCBରେ ଦେଖା ଦେଇଛି ବଡ଼ ଅବ୍ୟବସ୍ଥା। ଏକ ଚିରିକୁଟିରେ କେବଳ ନାଁ, ବୟସ ଆଉ କୋଭିଡ୍ ପଜିଟିଭ୍ କି ନେଗେଟିଭ୍ ଲେଖି ଧରାଇ ଦେଉଛନ୍ତି । କିନ୍ତୁ ତାହା ଆଇନଃ କୌଣସି ସ୍ଥାନରେ ଗ୍ରହଣୀୟ ହେଉନି।

ଅଭିଯୋଗ ଅନୁସାରେ ଶକ୍ତି ପ୍ରସାଦ ମିଶ୍ର (୨୩) ନାମକ ଜଣେ ଛାତ୍ର SCBରେ ଆରଟିପିସିଆର୍ ଟେଷ୍ଟ କରାଇଥିଲେ । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ଦିଆଯାଇଥିବା ରିପୋର୍ଟ ଏକ ଛୋଟିଆ କାଗଜ ଖଣ୍ଡରେ ଥିଲା । ଯେଉଁଥିରେ କଟକ ମେଡିକାଲର ରିପୋର୍ଟ ବୋଲି ଜାଣିବାର କୌଣସି ଉଲ୍ଲେଖ ନାହିଁ । ସେହିପରି ସେଥିରେ ଡାକ୍ତରଙ୍କ କି କୌଣସି ଅଥରାଇଜଡ୍ ପର୍ସନଙ୍କ ସିଗ୍ନେଚର୍ ରହିନାହିଁ । ତେଣୁ ତାହା କେଉଁଠି ଦେଲେ ଗ୍ରହଣୀୟ ହେବା ନେଇ ପ୍ରଶ୍ନ ଉଠାଇଛନ୍ତି ଶକ୍ତି । ଶକ୍ତି ଆହୁରି କହିଛନ୍ତି ଯେ ସମ୍ପ୍ରତି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ପାଇଁ ସମସ୍ତଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ସାଦା କାଗଜ ଖଣ୍ଡେରେ ଏମିତି ଯେକେହି ଲେଖି ଦେଇପାରିବ, ତେବେ ତାହା କିଭଳି ଗ୍ରହଣୀୟ ହେବ ବୋଲି ପ୍ରଶ୍ନ କରିଛନ୍ତି । ସେ ମଧ୍ୟ ବଡ଼ ହନ୍ତସନ୍ତ ହୋଇଥିବା କହିଛନ୍ତି । କିନ୍ତୁ ଏନେଇ କେହି ଅଭିଯୋଗ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ।

ଅନ୍ୟପକ୍ଷରେ ବେସରକାରୀ ବା ପ୍ରାଇଭେଟ୍ ଭାବେ କୋଭିଡ୍ ଟେଷ୍ଟ କରାଇଲେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଛାତ୍ରଛାତ୍ରୀ ଓ ଗରିବ ବ୍ୟକ୍ତିବିଶେଷ ଏତେ ଟଙ୍କା ଦେଇ ଯଦି କୋଭିଡ୍ ଟେଷ୍ଟ କରାଇବେ ତେବେ ସରକାରୀ ସୂତ୍ରରେ କି ସ୍ୱାସ୍ଥ୍ୟସେବା ଦିଆଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । କଟକ ବଡ଼ ମେଡିକାଲ ଉଚ୍ଚକର୍ତ୍ତୃପକ୍ଷ ଏଦିଗ ପ୍ରତି ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ସବୁଠାରେ ସ୍ୱୀକୃତ ହେବା ଭଳି କୋଭିଡ୍ ରିପୋର୍ଟ ସମସ୍ତଙ୍କୁ ପ୍ରଦାନ କରିବାକୁ ସାଧାରଣରେ ଦାବି କରାଯାଉଛି ।

Get real time updates directly on you device, subscribe now.