fbpx

ଆଦାନି କମ୍ପାନୀଗୁଡିକର ସେୟାରରେ LICର ୧୮,୬୪୭ କୋଟି ବୁଡ଼ିଗଲା, ଦୁଇ ଦିନରେ ସ୍ଥିତି ବେହାଲ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଦୁଇ ଦିନରେ ଆଦାନୀ ସମୁହର ପ୍ରାୟ ୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇ ସାରିଲାଣି। ନିବେଶକମାନେ ସେମାନଙ୍କର ଟଙ୍କା ଆଦାନୀ ସମୁହରୁ କାଢି ନେଉଛନ୍ତି। ଏହାରି ମଧ୍ୟରେ ଦେଶର ବୃହତ୍ତମ ନିବେଶକ ତଥା ଜୀବନ ବୀମା ନିଗମ (ଏଲଆଇସି) ମଧ୍ୟ ପ୍ରଭାବିତ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ। ଆଦାନୀ ଗ୍ରୁପ୍ ସେୟାରରେ ଏଲଆଇସିର ମିଳିତ ନିବେଶ ୨୭ ଜାନୁୟାରୀ ୨୦୨୩ ରେ ୬୨,୬୨୧ କୋଟି ଟଙ୍କାକୁ ଖସି ଆସିଛି। ୨୪ ଜାନୁୟାରୀ ୨୦୨୩ ରେ ଏହା ୮୧,୨୬୮ କୋଟି ଟଙ୍କା ଥିଲା। ଅର୍ଥାତ୍ ଦୁଇଟି ବାଣିଜ୍ୟ ଦିବସରେ ଏଲଆଇସି ୧୮,୬୪୭ କୋଟି ଟଙ୍କା କ୍ଷତି ସହିଛି ।

ଏସ୍ ଇକ୍ୱିଟି ପାଖରେ ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଡିସେମ୍ବର ୩୧, ୨୦୨୨ ସୁଦ୍ଧା, ଏଲଆଇସି ଆଦାନୀ ଏଣ୍ଟରପ୍ରାଇଜେସ୍‌, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ପୋର୍ଟ, ଆଦାନୀ ଟୋଟାଲ୍ ଗ୍ୟାସ୍‌, ଆଦାନୀ ଟ୍ରାନ୍ସମିସନ୍ ଏବଂ ନିକଟରେ ଅଧିଗ୍ରହଣ ହୋଇଥିବା ସିମେଣ୍ଟ ପ୍ରମୁଖ ଆମ୍ବୁଜା ସିମେଣ୍ଟ ଏବଂ ଏସିସିରେ ଏକ ପ୍ରତିଶତରୁ ଅଧିକ ଅଶଂଧନ ରହିଛି । ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ଏହି କମ୍ପାନୀଗୁଡିକର ଅଂଶଧନ ୧୯ ପ୍ରତିଶତରୁ ୨୭ ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି ।

ଆମେରିକୀୟ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାରରେ ବହୁତ ହ୍ରାସ ଘଟିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପ୍‌ର ୭ ଟି ପ୍ରମୁଖ ତାଲିକାଭୁକ୍ତ କମ୍ପାନୀକୁ ୮୫ ପ୍ରତିଶତରୁ ଅଧିକ ମୂଲ୍ୟ ଦିଆଯାଇଛି । ତେବ ଏହି ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ସମୁହ । କମ୍ପାନୀର ପ୍ରବକ୍ତା ଜଗସିନ୍ଦର ସିଂ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ରିପୋର୍ଟ ଭିତ୍ତିହୀନ ଏବଂ ଗୋଷ୍ଠୀକୁ ବଦନାମ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅଟେ । ଏହି ରିପୋର୍ଟରେ ଅନେକ ଭୁଲ କଥା କୁହାଯାଇଛି, ଯାହାର କୌଣସି ଆଧାର ନାହିଁ ।

Get real time updates directly on you device, subscribe now.