fbpx
BJD SKY
BJD SKY

କଂଗ୍ରେସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ: ଶର୍ମିଲା ହେବେ ହାତର ନୂଆ ଶକ୍ତି, ତେଲେଙ୍ଗାନା ପରେ ଆନ୍ଧ୍ର ଦଖଲ ଲକ୍ଷ୍ୟରେ କଂଗ୍ରେସ

BJD

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପାଣିପାଗ ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡି ଆଜି କଂଗ୍ରେସରେ ଯୋଗଦେଇଛନ୍ତି । ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧି, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଶର୍ମିଲା ହାତ ଧରିଛନ୍ତି ।

ତେବେ ନିକଟରେ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହିତ କଂଗ୍ରେସ ସରକାର ଗଠନ କରିଥିଲା । ତେଣୁ ଆନ୍ଧ୍ରପ୍ରଦେଶରେ ମଧ୍ୟ କଂଗ୍ରେସ ଅନୁରୂପ ଫର୍ମୂଲା ଲାଗୁ କରିପାରେ । ଦଳ ଶର୍ମିଲାଙ୍କୁ ନେଇ ଏକ ବଡ଼ ଗେମ୍ ଖେଳିପାରେ । ତେବେ କଂଗ୍ରେସ ପାଇଁ ଏହି ଯାତ୍ରା ଏତେ ସହଜସାଧ୍ୟ ହୋଇନପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି । ଯଦି ସମ୍ଭବ ହୁଏ, ତେବେ ଆଗକୁ ୱାଇଏସଆର କଂଗ୍ରେସ ପାର୍ଟି ଓ କଂଗେସ ମଧ୍ୟରେ ବଡ଼ ଲଢ଼େଇ ଦେଖିବାକୁ ମିଳିପାରେ । ଫଳରେ ରାଜନୀତିର ମୈଦାନରେ ଭାଇ-ଭଉଣୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୪ରେ ଶର୍ମିଲା କଂଗ୍ରେସରେ ସାମିଲ ହେବେ ବୋଲି ଦୁଇଦିନ ତଳେ ଖବର ପ୍ରକାଶ ପାଇଥିଲା । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଶର୍ମିଲା ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି । ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶରେ ଜଗନଙ୍କ ୱାଇଏସଆର କଂଗ୍ରେସ ପାର୍ଟିରକୁ ଏକ ବଡ଼ ଝଟକା ଲାଗିପାରେ ।

ତେବେ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଦଳୀୟ ମହଲରୁ ଜଣାପଡ଼ିଛି । ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇ ଆନ୍ଧ୍ରପ୍ରଦେଶରେ ଦଳକୁ ପୁନର୍ଜିବିତ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି । ଗତ ୨୦୧୨ରେ ଜଗନ କଂଗ୍ରେସଠାରୁ ଦୂରେଇ ଯାଇ ୧୮ ବିଧାୟକଙ୍କୁ ନେଇ ଏକ ନୂଆ ପାର୍ଟି ‘ୱାଇଏସଆରସିପି’ ଗଠନ କରିଥିଲେ ।

Get real time updates directly on you device, subscribe now.