fbpx
BSKY
BJD SHG SKY
BJD MC SKY

କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ଲଢି ପାରନ୍ତି ଶଶି ଥରୁର, କହିଲେ ପାର୍ଟିରେ…

ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ରାହୁଲ ଗାନ୍ଧୀ ଯଦି ରାଜି ନହୁଅନ୍ତି ତେବେ ଏହି ପଦ ପାଇଁ ଦୌଡରେ ଅନେକ ନେତାଙ୍କ ନାମ ରହିଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବା ପାଇଁ ସମ୍ଭାବନା ଖୋଜୁଛନ୍ତି। ହେଲେ ଏହା ଉପରେ ସେ ବର୍ତ୍ତମାନ ଅନ୍ତିମ ନିଷ୍ପତ୍ତି ନେଇ ନାହାନ୍ତି। ସୂତ୍ର ମୁତାବକ ଥରୁର ଅଦ୍ୟାବଧି ମନସ୍ତ କରି ନାହାନ୍ତି, ମାତ୍ର ଶୀଘ୍ର ଏହା ଉପରେ ନିର୍ଣ୍ଣୟ ନେଇ ପାରନ୍ତି।

ଥରୁର କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ସାମିଲ ହେବେ କି ନାହିଁ ଏହା ଉପରେ ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି। ସେ ମାଲାୟାଲମ ଦୈନିକ ଖବର କାଗଜ ମାତୃଭୂମିରେ ଏକ ସମ୍ଭ ଲେଖିଛନ୍ତି। ଏଥିରେ ସେ ସ୍ଵତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ କରାଇବାକୁ ଆହ୍ଵାନ କରିଛନ୍ତି। ଏହି ଲେଖାରେ ସେ କହିଛନ୍ତି କଂଗ୍ରେସ କାର‌୍ୟ୍ୟକାରୀ କମିଟି(ସିଡବ୍ଲ୍ୟୁସି)ର ଅନେକ ସିଟ୍ ପାଇଁ ମଧ୍ୟ ପାର୍ଟିକୁ ନିର୍ବାଚନ କରାଇବା ଉଚିତ୍।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୨୦୨୦ରେ ଚିଠି ଲେଖି ସଂଗଠନର ସୁଧାର ଦାବି କରିଥିବା ୨୩ ଜଣ ନେତାଙ୍କ ଗୋଷ୍ଠୀରେ ସାମିଲ୍ ଶଶି ଥରୁର କହିଛନ୍ତି, ଏଆଇସିସି ତଥା ପିସିସି ପଦରେ କେଉଁ ନେତାଙ୍କୁ ଚୟନ କରାଯିବା ଉଚିତ୍ ସେ ନେଇ ସଦସ୍ୟଙ୍କ ମତାମତ ନିଆଯାଉ। ଏଥିରେ ଆଗାମୀ ନେତାଙ୍କ ଚୟନ ତଥା ପାର୍ଟିର ନେତୃତ୍ଵ କରିବା ପାଇଁ ଦଳୀୟ ନେତାଙ୍କୁ ବିଶ୍ଵସନୀୟ ଜନାଦେଶ ମିଳିବାରେ ସହାୟକ ହେବ। ଏଥିରେ ପାର୍ଟିର ପ୍ରକ୍ରିୟା ଆହୁରି ମଜବୁତ ହୋଇ ପାରିବ। ଯେମିତି ୟୁକେରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଞ୍ଜରଭେଟିଭ ପାର୍ଟି ଭିତରେ ନିର୍ବାଚନ କରାଯାଉଛି କଂଗ୍ରେସରେ ମଧ୍ୟ ସେମିତି ହେବା ଉଚିତ୍।

ତିରୁଅନନ୍ତପୁରମର ସାଂସଦ କହିଛନ୍ତି, ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଇବା ପାର୍ଟିର ପୁନରୁଦ୍ଧାର ପାଇଁ ବେଶ ସହାୟକ ହେବ। ସାଂଗଠନିକ ସଂସ୍କାର ହିଁ କଂଗ୍ରେସ ପାଇଁ ଅତ୍ୟନ୍ତ ଆବଶ୍ୟକ। ମୁଁ ଆଶା କରୁଛି ନିର୍ବାଚନ ପାଇଁ ଅନେକ ବିଚାରକୁ ସାମ୍ନାରେ ରଖିବା ନିଶ୍ଚିତ ରୂପେ ଜନମାନସକୁ ଜାଗ୍ରତ କରିବ। ପାର୍ଟିକୁ ସଂପୂର୍ଣ୍ଣ ଭାବେ ପୁନର୍ଜୀବିତ କରାଯିବାର ଆବଶ୍ୟକତା ରହିଛି। ହେଲେ ଏହା ପୂର୍ବରୁ ପ୍ରଥମେ ପାର୍ଟିର ଅଧ୍ୟକ୍ଷ ପଦ ପୂରଣ ହେବା ଦରକାର ବୋଲି ଥରୁର କହିଛନ୍ତି।

 

Get real time updates directly on you device, subscribe now.