fbpx

SHG ସମ୍ଭାଳିବେ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ: ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା OSEPA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍ୱୟଂ ସହାୟିକା ଗ୍ରୁପ (ଏସଏଚଜି) ଉପରେ ନ୍ୟସ୍ତ ରହିବ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ । ସ୍କୁଲ କ୍ୟାମ୍ପସର ସୁରକ୍ଷା, ଆସବାବପତ୍ରର ଯତ୍ନ, ପରିଚ୍ଛନ୍ନତା କାର୍ଯ୍ୟ ସମ୍ଭାଳିବେ ଏସଏଚଜି । ରାଜ୍ୟର ସମସ୍ତ ସ୍କୁଲମାନଙ୍କରେ ଏହାକୁ ଲାଗୁ କରାଯିବ । ଏନେଇ ଏସଏଚଜି ସଦସ୍ୟଙ୍କ ସହିତ ଆଲୋଚନା କରାଯାଇଛି । ଏସଏଚଜିମାନେ ଏହି ଯୋଜନା ପ୍ରତି ଆଗ୍ରହ ପ୍ରକାଶ କରିଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଏ ବାବଦରେ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରୋଗ୍ରାମ କର୍ତ୍ତୃପକ୍ଷ (ଓସେପା) ପକ୍ଷରୁ ମୋ ସ୍କୁଲ ଅଧ୍ୟକ୍ଷାଙ୍କୁ ଅବଗତ କରାଯିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି, ସ୍କୁଲ ଓ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି । ପଞ୍ଚାୟତିରାଜ ବିଭାଗର ମନରେଗା ଯୋଜନାର ଧାର୍ଯ୍ୟ ନିୟମ ଅନୁଯାୟୀ ମହିଳାଙ୍କୁ ଦୈନିକ ୨୧୫ ଟଙ୍କା ହିସାବରେ ପାରିଶ୍ରମିକ ପ୍ରଦାନ କରାଯିବ । ମାସରେ ମହିଳାମାନେ ଅତିକମରେ ୧୦ରୁ ୧୫ ଦିନ ପାଇଁ ଦରମା ପାଇବେ । ସେହିପରି ସ୍କୁଲ ପରିସରରେ ଜିଆ ଖତ ପ୍ରସ୍ତୁତ କରାଯିବ ।

ରାଜ୍ୟ ସରକାରଙ୍କ ୫ଟି ଅଧିନରେ ରୂପାନ୍ତରିତ ସରକାରୀ ସ୍କୁଲ ଏବେ ଘରୋଇ ବିଦ୍ୟାଳୟ ସମକକ୍ଷ ହୋଇପାରିଛି । ସ୍କୁଲର ଭିତ୍ତିଭୂମି ପରିବର୍ତ୍ତନ ହେବା ସହ ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, କ୍ୟାମ୍ପସରେ ସୁନ୍ଦର ବଗିଚା ନିର୍ମାଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ ହଜାର ୭୬ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲର ରୂପରେଖ ବଦଳିଛି ।

Get real time updates directly on you device, subscribe now.