ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଉଠାଇବା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇଛି । ତେବେ ତାଙ୍କ ସହିତ ନଜର ଆସିଥିବା ସୁପରଭାଇଜରଙ୍କୁ ଶୋ କଜ୍ ନୋଟିସ ଜାରି କରାଯାଇଛି । ଏନେଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କେଉଁ କାରଣ ପାଇଁ ନିୟମ ଉଲଂଘନ କଲେ ସେନେଇ ଉତ୍ତର ଦେବାକୁ କୁହାଯାଇଛି । ତେବେ ଉତ୍ତର ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।
ଏହି ପ୍ରଶ୍ନର ଉତ୍ତର 7 ଦିନ ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଭିନେତ୍ରୀଙ୍କ ସହିତ କାହିଁକି ଫଟୋ ଉଠାଇଲେ ସେନେଇ ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଗାମୀ ଦିନରେ ଯେଉଁଭଳି ଭାବେ ଏହା ନଘଟେ ସେଥିପାଇଁ ନିୟମ କଡାକଡି ହେବ ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଭୁବନେଶ୍ବର ଗସ୍ତରେ ଆସିଥିବା ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ଦର୍ଶନ ପାଇଁ ଯାଇଥିଲେ । ସନ୍ଧ୍ୟା ସମୟରେ ଯାଇ ବାବାଙ୍କ ଦର୍ଶନ କରିବା ସହିତ ଭିତର ବେଢାରେ ଫଟୋ ଉଠାଇଥିଲେ ।
ତେବେ ଲିଙ୍ଗରାଜ ମନ୍ଦିର ଭିତରେ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେବା ପରେ ଏହାକୁ ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ମନ୍ଦିର ନୀତିକୁ ଅବମାନନା କରି କିପରି ସେ ଫଟୋ ଉଠାଇଲେ ବୋଲି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମନ୍ଦିର ଭିତରକୁ କ୍ୟାମେରା ନିଆଯାଇନଥିବା ବେଳେ ମନ୍ଦିର ସୁପରିଟେଣ୍ଡେଣ୍ଟ କିପରି ଏଭଳି ଭୁଲ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।