ମହଙ୍ଗା ହେବ ମଦ-ଜୋତା-ଘଡ଼ି, ସ୍ୱାସ୍ଥ୍ୟ ବୀମାରୁ ହଟିପାରେ GST ! ଶସ୍ତାରେ ମିଳିପାରେ ଏହିସବୁ ଜିନିଷ

ନୂଆଦିଲ୍ଲୀ: ଜିଏସଟି ଉପରେ ହୋଇଥିବା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ(GOM) ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ ଟାକ୍ସ ରେଟ୍ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି GOM । ଏହି ସମସ୍ତ ପ୍ରସଙ୍ଗ ଉପରେ ଆସନ୍ତା ମାସରେ ହେବାକୁ ଥିବା ଜିଏସଟି କାଉନ୍ସିଲ ବୈଠକରେ ନିର୍ଣ୍ଣୟ ହୋଇପାରେ । ତେବେ ଏହି ବୈଠକରେ ସ୍ୱାସ୍ଥ୍ୟ ବୀମା ଏବଂ ମେଡିକାଲ ଇନ୍ସୁରାନ୍ସରୁ ଜିଏସଟି ହଟାଇବାକୁ ନିଷ୍ପତ୍ତି ନିଆଯାଇପାରେ । ଏହାବ୍ୟତୀତ ଆହୁରି ଅନେକ ଜିନିଷରେ ଟାକ୍ସ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇ ପାରେ ଜିଏସଟି କାଉନ୍ସିଲ ବୈଠକ । ତେବେ ଏହି ବୈଠକ ପରେ ଜୋତା ଏବଂ ଘଡ଼ିର ଦାମ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଛି ।

ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ଅନୁସାରେ, ବିଭିନ୍ନ କ୍ଷେତ୍ରରେ ଟାକ୍ସ ବଢାଇବା ଏବଂ କମ୍ କରିବା ପାଇଁ ସୁପାରିଶ କରାଯାଇଛି । ଯଦି ଏହି ସମସ୍ତ ସୁପାରିଶକୁ ମଞ୍ଜୁରୀ ମିଳେ, ତେବେ ସାଧାରଣ ଲୋକଙ୍କ ପାଇଁ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମହଙ୍ଗା ହୋଇପାରେ । ବିଶେଷ କରି ହାତରେ ପିନ୍ଧା ହେଉଥିବା ଘଣ୍ଟା ଉପରେ ଜିଏସଟି ବୃଦ୍ଧି କରାଯାଇପାରେ । ୨୫୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଘଣ୍ଟାରେ ଜିଏସଟି ଦର ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ହୋଇପାରେ । ସେହିପରି ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଜୋତା ଉପରେ ମଧ୍ୟ ଜିଏସଟି ୧୮ ପ୍ରତିଶତରୁ ବୃଦ୍ଧି ହୋଇ ୨୮ ପ୍ରତିଶତ କରାଯାଇପାରେ ।

ଅନ୍ୟ ପକ୍ଷରେ ୧୦ ହଜାରରୁ କମ୍ ମୂଲ୍ୟର ସାଇକେଲରେ ବର୍ତ୍ତମାନ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ବେଳେ ଆଗକୁ ଏହା ୫ ପ୍ରତିଶତକୁ ହ୍ରାସ କରାଯାଇବ ବୋଲି ପ୍ରସ୍ତାବ ଦିଆଯାଇଛି । ସେହିପରି ୨୦ ଲିଟରରୁ ବଡ଼ ବୋତଲର ମୂଲ୍ୟରେ ମଧ୍ୟ ଜିଏସଟି ଦର କମ୍ ହୋଇପାରେ । ବର୍ତ୍ତମାନ ଏହା ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ବେଳେ ଆଗକୁ ଏହାକୁ ୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବାକୁ ସୁପାରିଶ କରିଛି ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ।ଏକ୍ସରସାଇଜ ବୁକ୍ସରେ ମଧ୍ୟ ଏହି ଜିଏସଟି ହ୍ରାସ ଲାଗୁ ହୋଇପାରେ ।

ଏହାବ୍ୟତୀତ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ସିନ୍ ଟାକ୍ସକୁ ବୃଦ୍ଧ କରିବା ପାଇଁ ସୁପାରିଶ କରିଛି । ଏଭଳି ବସ୍ତୁ ଉପରେ ୧୮-୨୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ସିନ୍ ଗୁଡ୍ ଇତ୍ୟାଦିରେ ମଦ, ତମ୍ବାଖୁ ଏବଂ ସିଗାରେଟ ଭଳି ପ୍ରଡକ୍ଟ ସାମିଲ ରହିଛି । ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ ଥିବା ସ୍ୱାସ୍ଥ୍ୟ ବୀମାରେ ଖର୍ଚ୍ଚ ହୋଇଥିବା ପ୍ରିମିୟମ ରେ ଜିଏସଟି ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନେଇ ଶେଷ ନିଷ୍ପତ୍ତି ଜିଏସଟି କାଉନ୍ସିଲ ହାତରେ ରହିଛି ।

Get real time updates directly on you device, subscribe now.