ଅମାନୁଷିକ ଲୋକ, ବର୍ଷା ଯୋଗୁଁ ଦୋକାନରେ ଆଶ୍ରୟ ନେବାରୁ ଶ୍ରଦ୍ଧାଳୁଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଲେ ଦୋକାନି

ରାଜସ୍ଥାନ: ଶ୍ରଦ୍ଧାଳୁଙ୍କ ଉପରେ ନିସ୍ତୁକ ମାଡ଼। ଶ୍ରଦ୍ଧାଳୁଙ୍କ ଉପରେ ଖାଲି ଠେଙ୍ଗା ପାହାର ବୃଷ୍ଟି କଲେ ଦୋକାନି। ସେ ପୁଣି ବର୍ଷାରେ ଭିଜି ଭିଜି। ସାମାନ୍ୟ କାରଣକୁ ନେଇ।

ଖାତୁ ଶ୍ୟାମ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ବର୍ଷା ହୋଇଥିଲା। ତେଣୁ କିଛି ଶ୍ରଦ୍ଧାଳୁ ମନ୍ଦିର ପାଖରେ ଥିବା ଦୋକାନରେ ଆଶ୍ରୟ ନେଇଥିଲେ। ଆଉ ଏତିକି କଥାରେ ରାଗି ଯାଇ ପୁରୁଷଙ୍କ ସମେତ ମହିଳା ଶ୍ରଦ୍ଧାଳୁଙ୍କୁ ବର୍ଷାରେ ଭିଜି ଭିଜି ନିସ୍ତୁକ ପିଟି ଥିଲେ।

ପ୍ରସିଦ୍ଧ ମନ୍ଦିର: ରାଜସ୍ଥାନ ସିକର ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ହେଉଛି ଖାତୁ ଶ୍ୟାମ ଜୀ ମନ୍ଦିର। ଯେଉଁଠାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ।

ଶୁକ୍ରବାର ଦିନ ବି ଖାତୁ ଶ୍ୟାମ ଜୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ହେଲେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା।  ଏହି ସମୟରେ ମଧ୍ୟ ପ୍ରଦେଶରୁ ଅନେକ ଭକ୍ତ ଦର୍ଶନ ପାଇଁ ଏଠାକୁ ଆସିଥିଲେ।

ଦୋକାନରେ ଆଶ୍ରୟ ନେଇଥିଲେ: ବାବା ଶ୍ୟାମଙ୍କ ଦର୍ଶନ ପରେ ବର୍ଷା ଆରମ୍ଭ ହୋଇଗଲା। ଏହି ସମୟରେ ଭକ୍ତମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ଦୋକାନ ଆଡ଼କୁ ଦୌଡ଼ିଥିଲେ।

ଏତିକି ବେଳେ ଗୋଟିଏ ପରିବାର ଆଶ୍ରୟ ନେବା ପାଇଁ ନିକଟରେ ଥିବା ଦୋକାନରେ ପହଞ୍ଚିଥିଲେ।  ହେଲେ ଦୋକାନୀ ସେମାନଙ୍କୁ ବାହାରକୁ ଯିବା ପାଇଁ କହିଥିଲେ।

ଯେହେତୁ ବର୍ଷା ହେଉଥିଲା ସେଥିପାଇଁ ଦୋକାନରେ କିଛି ସମୟ ରହିବା ପାଇଁ ଶ୍ରଦ୍ଧାଳୁମାନେ ଦୋକାନି ମାଲିକଙ୍କୁ କହିଥିଲେ।  ହେଲେ ଦୋକାନୀ ସେମାନଙ୍କ କଥା ନଶୁଣି ଠେଲାପେଲା କରିବା ଆରମ୍ଭ କରିଥିଲେ।

ଶ୍ରଦ୍ଧାଳୁଙ୍କୁ ମାଡ଼: ତେଣୁ ଦୋକାନୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପାଟି ତୁଣ୍ଡ ମଧ୍ୟ ହେଲା। ଏତିକିରେ ଦୋକାନୀ ନିଜ ରାଗକୁ ଆୟତ୍ତ ନକରିପାରି ଠେଙ୍ଗାରେ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ।

ବର୍ଷାରେ ଭିଜି ଭିଜି ଭକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଦୋକାନୀ। ପରେ ପିଡୀତା ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏବଂ ଅଧିକ ତଦନ୍ତ ଜାରି ରଖିଛି।