fbpx

ସୋନିଆଙ୍କ ନିକଟରେ ସିଦ୍ଧୁ ରଖିଲେ ୧୩ ଦାବି; ବଢିଲା ଚନ୍ନିଙ୍କ ଅଡୁଆ

ନୂଆଦିଲ୍ଲୀ: ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିବା ପରେ ପୁନର୍ବାର ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ନଭଜୋତ ସିଂ ସିଦ୍ଧୁ ବର୍ତ୍ତମାନ କଂଗ୍ରେସ ତଣ୍ଟିରେ ହାଡ ଭଳି ଲାଖି ଯାଇଛନ୍ତି । ଦୁଇ ତିନି ଦିନ ପୂର୍ବରୁ ସିଦ୍ଧୁ ରାହୁଲଙ୍କୁ ଭେଟିଥିଲେ । ଏହାପରେ ନିଜର ଇସ୍ତଫାପତ୍ର ମଧ୍ୟ ପ୍ରତ୍ୟାହାର କରି ନେଇଥିଲେ । ମାତ୍ର ଇସ୍ତଫାପତ୍ର ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ସିଦ୍ଧୁ ଅସନ୍ତୋଷ ଜାହିର କରିଛନ୍ତି । ଏହା ସହିତ ୧୩ଟି ପ୍ରସଙ୍ଗ ଉପରେ କାମ କରିବା ପାଇଁ ସୋନିଆଙ୍କୁ ପରାମର୍ଶ ଦେଇଛନ୍ତି ସିଦ୍ଧୁ ।
ସିଦ୍ଧୁ ରାହୁଲଙ୍କୁ ଭେଟିବା ପରେ ମଧ୍ୟ ତାଙ୍କର ଆକ୍ରୋଶ କମ ହୋଇନାହିଁ । ସିଦ୍ଧୁ ସୋନିଆଙ୍କୁ ଚିଠି ଲେଖି ଏହା ସ୍ପଷ୍ଟ କରିଛନ୍ତି । ୧୩ଟି ପ୍ରସଙ୍ଗ ଉପରେ କାମ କରିବା ପାଇଁ ପଞ୍ଜାବ କଂଗ୍ରେସକୁ ଆଦେଶ ଦେବା ପାଇଁ ସୋନିଆଙ୍କୁ କହିଛନ୍ତି ସିଦ୍ଧୁ । ଏହା ସହିତ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ସରକାର ଉପରେ ନଜର ରଖିବା ତାଙ୍କର ଦାୟିତ୍ୱ ବୋଲି ସିଦ୍ଧୁ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ସିଦ୍ଧୁ । ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ ମଧ୍ୟ ଦଳିତ ସମ୍ପ୍ରଦାୟକୁ ସମାନ ପ୍ରତିନିଧିତ୍ୱ ମିଳୁନଥିବା ନେଇ ସିଦ୍ଧୁ ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.