fbpx

ସପ୍ଲିମେଣ୍ଟ ଅଧିକ ନେବା ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ,କ’ଣ ରହିଛି ନକରାତ୍ମକ ପ୍ରଭାବ ଆସନ୍ତୁ ଜାଣିନେବା

Advertisement

ନୂଆଦିଲ୍ଲୀ:ଆମ ଶରୀରର ସମସ୍ତ ଅଙ୍ଗପ୍ରତ୍ୟେଙ୍ଗ କିପରି ଠିକ୍ ଭାବରେ କାମ କରିବ ସେଥିପାଇଁ ଆମକୁ ଭିଟାମିନ୍ସ, ପ୍ରୋଟିନ୍, ଫାଇବର, କାର୍ବୋହାଇଡ୍ରେଟସ୍ ପରି ଆବଶ୍ୟକୀୟ ପୁଷ୍ଟିସାର ନିହାତି ଆବଶ୍ୟକ । ସଠିକ୍ ପୁଷ୍ଟିସାର ଗ୍ରହଣ କରିବା ଦ୍ୱାରା ଆମ ଶରୀରକୁ ଶକ୍ତି ବି ମିଳିଥାଏ । ତେବେ ଏହି ପୁଷ୍ଟିସାର ପାଇବା ଲାଗି ସ୍ୱାସ୍ଥ୍ୟପ୍ରଦ ଖାଦ୍ୟପେୟର ନିହାତି ଆବଶ୍ୟକତା ରହିଛି । କିନ୍ତୁ ବହୁ ସମୟରେ ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସପ୍ଲିମେଣ୍ଟସ୍ ନେବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ କିଛି ଲୋକ ଅଧିକ ମୋଟା ହୋଇଯାଉଥିବା କାରଣରୁ ଖାଦ୍ୟ କମ୍ ଖାଇଥାନ୍ତି ଓ ସପ୍ଲିମେଣ୍ଟ ମାଧ୍ୟମରେ ଖାଦ୍ୟରୁ ମିଳୁଥିବା ପୋଷଣକୁ ପୁରା କରିବାକୁଚେଷ୍ଟା କରିଥାନ୍ତି । ଆପଣ ବି ଯଦି ଏପରି କରୁଛନ୍ତି ତେବେ ଆସନ୍ତୁ ଜାଣିନେବା ସପ୍ଲିମେଣ୍ଟ ଅଧିକ ନେବା ଆମ ସ୍ୱାସ୍ଥ୍ୟ ଲାଗି କେତେ କ୍ଷତିକାରକ । ସପ୍ଲିମେଣ୍ଟ ଅଧିକ ନେବା ଦ୍ୱାରା ଶରୀର ଉପରେ ବହୁ ନକରାତ୍ମକ ପ୍ରଭାବ ପଡିପାରେ ।
ପୋଷଣ ଅସନ୍ତୁଳନ:
କିଛି ସପ୍ଲିମେଣ୍ଟର ହାଇଡୋଜ୍ ନେବା ଦ୍ୱାରା ଶରୀରରେ ପୋଷକତତ୍ତ୍ୱର ଅସନ୍ତୁଳନ ସୃଷ୍ଟି ହୋଇପାରେ । ଉଦାହରଣ ସ୍ୱରୂପ ପର୍ଯ୍ୟାପ୍ତ ମ୍ୟାଗନେସିୟମ ଓ ଭିଟାମିନ୍ ଡି ବିନା କ୍ୟାଲସିୟମ ଅଧିକ ମାତ୍ରାରେ ସେବନ କ୍ୟାଲସିୟମ ମ୍ୟାଗନେସିୟମ ସନ୍ତୁଳନକୁ ବିଗାଡି ଦେଇପାରେ ଓ ଅସ୍ଥିଜନିତ ସମସ୍ୟା ସୃଷ୍ଟି କରିପାରେ ।
ଅଙ୍ଗପ୍ରତ୍ୟେଙ୍ଗକୁ କ୍ଷତି:
କିଛି ସପ୍ଲିମେଣ୍ଟ ଅଧିକ ମାତ୍ରାରେ ଖାଇବା ଦ୍ୱାରା ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ କ୍ଷତି ପହଞ୍ଚିପାରେ । ଉଦାହରଣ ସ୍ୱରୂପ ଭିଟାମିନ୍ ଏର ଅଧିକ ଡୋଜ୍ ଲିଭରକୁ କ୍ଷତି ପହଞ୍ଚାଇଥାଏ । ସେହିପରି ଅତ୍ୟଧିକ ଆଇରନ୍ ସପ୍ଲିମେଣ୍ଟ ଲିଭର ଓ ଅନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ ।
ମେଡିସିନ୍ ସହିତ ପ୍ରତିକ୍ରିୟାଶୀଳ ହୋଇଥାଏ:

କିଛି ସପ୍ଲିମେଣ୍ଟ ମେଡିସିନ୍ ର ପ୍ରଭାବକୁ କମ୍ କିମ୍ବା ବେଶୀ କରି ଦେଇଥାଏ । ଉଦାହରଣ ସ୍ୱରୂପ ସେଣ୍ଟ ଜନ୍ସ ୱାର୍ଟ ଏକ ହର୍ବାଲ ସପ୍ଲିମେଣ୍ଟ ଯାହା କିଛି ମେଡିସିନ୍ ଯେପରିକି ଆଣ୍ଟିଡିପ୍ରେସାଣ୍ଟ, ରକ୍ତ ପତଳା କରୁଥିବା ମେଡିସିନ୍ ଓ ଗର୍ଭ ନିରୋଧକ ମେଡିସିନ୍ ଆଦିର ପ୍ରଭାବକୁ କମ୍ କରି ଦେଇଥାଏ ।
ହଜମ ସମ୍ବନ୍ଧୀୟ ସମସ୍ୟା:
ଆଇରନ୍ ଓ ଭିଟାମିନ୍ ସି ପରି ସପ୍ଲିମେଣ୍ଟର ହାଇ ଡୋଜ୍ ପେଟ କାଟିବା, ଗ୍ୟାସ୍ ହେବା, ପତଳା ଝାଡା ହେବା ପରି ପାଚନ ତନ୍ତ୍ର ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ତେବେ ଏହି ସମସ୍ତ ଲକ୍ଷଣ ସେତେବେଳେ ନଜର ଆସିଥାଏ ଯେତେବେଳେ ଖାଲି ପେଟରେ ସପ୍ଲିମେଣ୍ଟର ସେବନ କରାଯାଇଥାଏ ।
ବିଭିନ୍ନ ରୋଗର ଲକ୍ଷଣ ପ୍ରକାଶ ପାଏ ନାହିଁ:
ପୋଷକ ତତ୍ତ୍ୱ ସମ୍ବନ୍ଦୀୟ ଆବଶ୍ୟକତାକୁ ପୂରଣ କରିବା ଲାଗି ସପ୍ଲିମେଣ୍ଟ ଉପରେ ଅଧବକ ନିର୍ଭରଶୀଳ ହେବା ଦ୍ୱାରା ବହୁ ଅନ୍ତର୍ନିହିତ ରୋଗର ଲକ୍ଷଣ ଜଣାପଡି ନ ଥାଏ । ଲୋକମାନେ ଭାବନ୍ତି ଯେ ସେମାନେ ପର୍ଯ୍ୟାପ୍ତ ମାତ୍ରାରେ ପୋଷଣ ପାଉଛନ୍ତି କିନ୍ତୁ ବାସ୍ତବରେ ସେମାନଙ୍କୁ ନିଜ ଶରୀର ମଧ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ରୋଗ ଲାଗି ଉଚିତ ଡାଇଗ୍ନୋସିସ୍ ଓ ଚିକିତ୍ସାର ଆବଶ୍ୟକତା ରହିଥାଏ ।
ଏଣୁ କୌଣସି ବି ସପ୍ଲିମେଣ୍ଟର ସେବନ ଆରମ୍ଭ କରିବା ପୂର୍ବରୁ ଡାକ୍ତର କିମ୍ବା ଡାଏଟ୍ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଛିତ । କାରଣ ଜଣେ ବିଶେଷଜ୍ଞ ହିଁ ସପ୍ଲିମେଣ୍ଟର କେତେ ଡୋଜ୍ ନେବା ଠିକ୍ ଓ ଏଥିରୁ ସୃଷ୍ଟ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆପଣଙ୍କୁ ଉଚିତ ସୂଚନା ଦେଇପାରିବେ ।

Get real time updates directly on you device, subscribe now.