fbpx

ମଧୁବାବୁଙ୍କ ଜନ୍ମପୀଠରେ ପ୍ରତିଷ୍ଠା ହେବ ‘Single Museum Complex’: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଏପ୍ରିଲ ୧୫ ସୁଦ୍ଧା ଉପସ୍ଥାପନ ହେବ ପ୍ଲାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ସ୍ମୃତିଚାରଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ମଧୁବାବୁଙ୍କ ଜନ୍ମପୀଠ ପରିଦର୍ଶନ କରିଥିଲେ । ଏହି ପୀଠର ବିକାଶ ସମ୍ପର୍କରେ ୫ଟି ସଚିବ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ ।

ତେବେ ଉତ୍କଳ ଗୌରବଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ବା ‘ସିଙ୍ଗଲ ମ୍ୟୁଜିୟମ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଏନେଇ ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ । ଏହି ପୀଠକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ପୁନରୁଦ୍ଧାର କରାଯିବ ।

ଏଥିସହିତ ଏଠାରେ ମଧୁବାବୁଙ୍କ ଗୌରବମୟ ଜୀବନୀ ଓ କୃତିକୁ ନେଇ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ବ୍ୟବସ୍ଥା ମଧ୍ୟ କରାଯିବ । ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ବହୁ ଭାଷାରେ ଏହାକୁ ଉପଲବ୍ଧ କରାଯିବ । ମଧୁବାବୁଙ୍କ ସହିତ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରାଯାଇ ସଂଗ୍ରହାଳୟର ବିକାଶ କରାଯିବ । ଏହି କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୋଲକତାରୁ ଫେରିବା ପରେ ମଧୁବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଆ ମା’ର ସେବା ପାଇଁ ନିଜକୁ ନିୟୋଜିତ କରିଥିଲେ ।

Get real time updates directly on you device, subscribe now.