fbpx

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକରେ !

ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ନୂଆ ମେଣ୍ଟ ଗଠନ କରିବ । ସେହି ନୂଆ ମେଣ୍ଟର ନାମ ରହିିବ ମହାବିକାଶ ଆଘାଡ଼ି । ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଡିସେମ୍ବର ୧ରେ ମୁମ୍ବାଇ ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା ରହିଛି । ଆଜି ରାତି ୯ଟାରେ ରାଜ୍ୟପାଳଙ୍କୁ ଉଦ୍ଧବ ଠାକରେ ଭେଟିବେ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେହି ସମ୍ମିଳନୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଫଡ଼ନଭିସ ଇସ୍ତଫା ଦେଇଥିବା ସେ ନିଜେ ଘୋଷଣା କରିଥିଲେ । ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଥିଲେ ।

ଗତ ଶନିବାର ଦିନ ଦେବେନ୍ଦ୍ର ଫଡ଼ନଭିସ  ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶିବସେନା,ଏନସିପି ଓ କଂଗ୍ରେସ ଦଳ ମିଶି ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ତାଙ୍କ ରାୟରେ ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ି ସଂଖ୍ୟା ଗରିଷ୍ଠତା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ନିଜେ ମାନି ନେଇଥିଲେ ଦେବେନ୍ଦ୍ର ଫଡ଼ନଭିସ ।

Get real time updates directly on you device, subscribe now.