ଓଡ଼ିଶା ଭାସ୍କର ବ୍ୟୁରୋ: ବିନା ପୋଷାକରେ ଶୋଇବା କେତେଦୂର ଠିକ୍ ? ଏହି ପ୍ରଶ୍ନ ଆପଣମାନଙ୍କ ମନରେ ନିଶ୍ଚୟ ଭାବରେ ଆସୁଥିବ । ଖାସ୍ କରି ଖରା ଦିନରେ ଗରମ କାରଣରୁ ଅନେକ ଲୋକ ବିନା ପୋଷାକରେ ଶୁଅନ୍ତି । ଅନେକ କ୍ଷେତ୍ରରେ ବିନା ପୋଷାକରେ ଶୋଇବା ଦ୍ୱାରା ଶରୀରକୁ ଲାଭ ମିଳିଥାଏ । ହେଲେ ଖରା ଦିନରେ ଏପରି ଶୋଇବା ଦରକାର କି ନାହିଁ, ସେନେଇ ବିଶେଷଜ୍ଞ ମାନେ ବଡ ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଯେ, ବିନା ପୋଷାକରେ ଶୋଇବା ଦ୍ୱାରା ଅନେକ ପ୍ରକାରର ଅସୁବିଧାର ସାମନା ଆପଣମାନେ କରିପାରନ୍ତି ।
“ଦ ସନ୍” ର ଏକ ରିପୋର୍ଟ ଅନୁସାରେ, ସ୍ଲିପ୍ ଫିଜିଓଥେରାପିଷ୍ଟ ମାନଙ୍କ କହିବା ମୁତାବକ ବିନା ପୋଷାକରେ ଶୋଇବା ଦ୍ୱାରା ଆପଣମାନଙ୍କର ନିଦ୍ରାର ଗୁଣବତ୍ତା କମି ଯାଇଥାଏ । ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ । ବିନା ପୋଷାକରେ ଦ୍ୱାରା ଶୋଇବା ସମୟରେ ଶରୀରରେ ବୋହୁଥିବା ଝାଳ ଶୁଖେ ନାହିଁ । ତାହା ଶରୀରରେ ହିଁ ଲାଗି ରୁହେ । ଯାହାର ପରିମାଣସ୍ୱରୂପ ଆପଣଙ୍କ ନିଦ ଭଲ ହୋଇ ନପାରେ ।
ଖରାପ ସ୍ଲିପିଂ କ୍ୱାଲିଟି ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ପୂରା ନିଦ ନହେବା ଦ୍ୱାରା ମସ୍ତିଷ୍କକୁ ଠିକ୍ ଭାବରେ ଆରାମ ମିଳେନାହିଁ । ଏହି କାରଣରୁ ଆପଣ ମାନେ ଚିନ୍ତାଗ୍ରସ୍ତ ତଥା ମାନସିକ ସମସ୍ୟା ଭିତରେ ଦେଇ ଗତି କରିପାରନ୍ତି ।
ରିପୋର୍ଟ ଅନୁସାରେ, ବିନା ପୋଷାକରେ ଶେଯକୁ ଗଲେ ଅଧିକ ଗରମ ଅନୁଭବ ହୁଏ । ତେଣୁ ବିନା ପୋଷାକରେ ନୁହେଁ ବରଂ ହାଲୁକା ପୋଷାକ ପିନ୍ଧି ଶୋଇଲେ ସୁଫଳ ମିଳିପାରିବ । ଖାସ୍ କରି କଟନ୍ ପୋଷାକ ଶୋଇବା ସମୟରେ ପିନ୍ଧନ୍ତୁ । କଟନ୍ ପୋଷାକ ପିନ୍ଧିବା ଦ୍ୱାରା ଝାଳ ଶରୀରରେ ରୁହେ ନାହିଁ । ଏହାଦ୍ୱାରା ଅଧିକ ଥଣ୍ଡା ଲାଗେ ।
ତେବେ କେବଳ ଗରମ ଦିନ ମାନଙ୍କରେ ବିନା ପୋଷାକରେ ଶୋଇବାକୁ ବାରଣ କରାଯାଇଥିବା ବେଳେ ଅନ୍ୟ ଦିନ ମାନଙ୍କରେ କମ୍ ପୋଷାକରେ ବା ବିନା ପୋଷାକରେ ଶୋଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହା ଦ୍ୱାରା ଆପଣଙ୍କ ସ୍କିନ୍ ଫ୍ରେସ୍ ହୋଇଥାଏ ଏବଂ ଖୋଲା ନିଶ୍ୱାସ ନେଇଥାଏ । ଆହୁରି ମଧ୍ୟ ପୋଷାକରେ ରହିବା ଦ୍ୱାରା ଶରୀରରେ ବ୍ୟାକ୍ଟେରିଆ ଜନ୍ମ ହେବାର ଆଶଙ୍କା ଥାଏ ।