fbpx

ଭୁଷୁଡିଲା ସ୍ମାର୍ଟ ସିଟିର ସ୍ମାର୍ଟ ବିଲ୍ଡିଙ୍ଗ: ନିର୍ମାଣ କାମ ସରିବା ପୂର୍ବରୁ ମାଟିରେ ମିଶିଲା ପ୍ରଶାସନିକ ପ୍ରୋଜେକ୍ଟ

ରାଉରକେଲା: ମାଟିରେ ମିଶିଯାଇଛି ସ୍ମାର୍ଟ ସିଟିର ସ୍ମାର୍ଟ ବିଲଡିଙ୍ଗ । ନିର୍ମାଣ କାର୍ୟ୍ୟ ଶେଷ ହେବା ପୂର୍ବରୁ ହିଁ ଭୁଶୁଡ଼ି ପଡିଛି ପ୍ରଶାସନର ଆଉ ଏକ ପ୍ରୋଜେକ୍ଟ । ତେବେ ଏହି ଅଘଟଣରେ ସୌଭାଗ୍ୟ ବଶତଃ କୌଣସି ଧନଜୀବନ କ୍ଷୟକ୍ଷତିର ମାମଲା ଜଣା ପଡିନାହିଁ । ଷ୍ଟିଲ ସିଟି ରାଉରକେଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଏବଂ ଆଶ୍ଚର୍ୟ୍ୟକର ଘଟଣା । ନିର୍ମାଣଧୀନ ଅବସ୍ଥାରେ ହିଁ ବିଲ୍ଡିଂର ଛାତ ଭୁଷୁଡି ପଡିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଛି । ଏହାସହ ପଦାରେ ପକାଇ ଦେଇଛି ଠିକାସଂସ୍ଥାର କାର୍ୟ୍ୟ କରିବାର କ୍ୱାଲିଟି ।

ସୂଚନା ଅନୁସାରେ, ପାନପୋଷ ସରକାରୀ ସ୍ବୟଂଶାସିତ କଲେଜ ପଛ ପାର୍ଶ୍ବରେ ପ୍ରଶାସନିକ ବିଲ୍‌ଡିଂର ନିର୍ମାଣ କାର୍ୟ୍ୟ ଚାଲୁ ରହିଛି । ଏଥିସହ ଟ୍ରାଇବାଲ ମ୍ୟୁଜିୟମ୍‌ ଓ ଲାଇବ୍ରେରୀ ବିଲ୍‌ଡିଂ କାମ ମଧ୍ୟ ଜାରି ରହିଛି । ତେବେ ଏହି ସମୟରେ ଏଠାରେ ଦେଖିବାକୁ ମିଳିଛି ଠିକାସଂସ୍ଥାର ନିମ୍ନମାନର କାମ । ଯାହା ପାଇଁ ଘଟିଯାଇଛି ଏକ ବିରାଟ ଅଘଟଣ । ପ୍ରଶାସନିକ ବିଲ୍‌ଡିଂର ସିଣ୍ଟରିଂ ଚାଲିଥିବା ବେଳେ ହଠାତ୍‌ ଛାତ ଭୁଶୁଡି ପଡିଛି। ପ୍ରାୟ ୩ ହଜାର ବର୍ଗଫୁଟ ଛାତ ଭୁଶୁଡି ପଡ଼ିବା, ଠିକାସଂସ୍ଥାର ନିମ୍ନମାନର କାମକୁ ଏବଂ ଏହାର ଖାମଖିଆଲି ନୀତିକୁ ଲୋକଙ୍କ ସାମନାରେ ରଖିଛି । ତେବେ ଏତେ ବଡ ଅଘଟଣରେ ସବୁଠୁ ଭଲ ଏବଂ ବଡ କଥା ହେଉଛି ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବା ଏପର୍ୟ୍ୟନ୍ତ ଖବର ମିଳିନାହିଁ ।

ତେବେ ଠିକାଦାର ସଂସ୍ଥାର ଏଭଳି ନିମ୍ନମାନର କାର୍ୟ୍ୟକୁ ଏବେ ବୁଦ୍ଧିଜୀବୀ ମହଳରେ ନିନ୍ଦା କରାଯାଇଛି । ଠିକାସଂସ୍ଥା ହାତରୁ ଏହି ପ୍ରୋଜେକ୍ଟକୁ ଛଡାଇ ନେଇ ନୂଆ ସଂସ୍ଥାକୁ ଦେବାକୁ ସାଧାରଣରେ ଦାବି କରାଯାଉଛି। ସେପଟେ ଏହି ଅଘଟଣକୁ ନେଇ ଜନ ଅସନ୍ତୋଷ ବୃଦ୍ଧ ପାଇଛି । ଠିକାସଂସ୍ଥାର ଏଭଳି ଖାମଖିଆଲି ନୀତି ପାଇଁ କୌଣସି ଜନ ଜୀବନ ହାନି ହେଲେ, ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶାସନକୁ ପ୍ରଶ୍ନ କରାଯାଇଛି । ତେବେ ଏଭଳି ଅଘଟଣର କାରଣକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ସ୍ମାର୍ଟସିଟିର ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ଭିତିରି ସଲାସୁତୁରା ରହିଥିବା ନେଇ ଚର୍ଚ୍ଚା ଜୋର ଧରିଲାଣି । ଜନସାଧାରଣଙ୍କ ଅର୍ଥକୁ ଏମାନେ ହରିଲୁଟ୍‌ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

ପ୍ରଶାସନିକ ବିଲ୍‌ଡିଂ ଛାତ ଭୁଷୁଡିବା ଘଟଣାରେ ଠିକା ସଂସ୍ଥା ବିରୋଧରେ କାହିଁକି କାର୍ୟ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସହରବାସୀ ପ୍ରଶ୍ନ କରୁଛନ୍ତି । ତେବେ ଏହି ଘଟଣାର କିପରି ପୁନରାବୃତ୍ତି ନଘଟୁ ତାହା ନେଇ ତାହା ନେଇ ଯତ୍ନବାନ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବର୍ତ୍ତମାନ ସ୍ମାର୍ଟ ସିଟିର ପ୍ରଶାସନ ଏହି ଘଟଣାରେ କି ପଦକ୍ଷେପ ନେଉଛି ଆଉ କେବେ ନେଉଛି ନା ମାମଲାକୁ ଦାବି ଦେବାକୁ ଚେଷ୍ଟା କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.