fbpx

ସ୍ମାର୍ଟଫୋନକୁ ଆସିବ ଭୂକମ୍ପ ଆଲର୍ଟ ମେସେଜ୍: ସାରା ଦେଶବାସୀଙ୍କ ମୋବାଇଲରେ ଲାଗୁହେବ ନୂଆ ଫିଚର, କେନ୍ଦ୍ର ସରକାର ଆଣୁଛନ୍ତି ସ୍ମାର୍ଟ ଟେକ୍ନୋଲୋଜି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭୂକମ୍ପ ମାନବ ସମାଜ ଆଗରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ନିକଟରେ ସିରିଆ-ତୁର୍କୀରେ ଲକ୍ଷାଧିକ ଲୋକଙ୍କ ଜୀବନ ହାନୀ ହେବା ସହିତ ଲକ୍ଷାଧିକ ଘରଦ୍ୱାର ଭାଙ୍ଗିରୁଜି ମାଟିରେ ମିଶିଯାଇଥିଲା । ତେବେ ଏବେ ବି ଭୂକମ୍ପ ଆଶଙ୍କା କମିନାହିଁ । ଦିନେ ଦୁଇଦିନ ବ୍ୟବଧାନରେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଭୂକମ୍ପ ଝଟକା ଦେଖିବାକୁ ମିଳୁଛି । ତେବେ ଭୂକମ୍ପରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, କେନ୍ଦ୍ର ସରକାର ଏକ ନୂଆ ଟେକନିକ ଉପରେ କାର୍ଯ୍ୟ କରୁଛନ୍ତି । ଏହି ଟେକନିକର ପ୍ରୟୋଗ କରାଯାଇ ସ୍ମାର୍ଟଫୋନ ଦ୍ୱାରା ଲୋକଙ୍କୁ ଭୂକମ୍ପ ନେଇ ଆଲର୍ଟ କରାଯାଇ ପାରିବ । ଲୋକଙ୍କର ସ୍ମାର୍ଟଫୋନରେ ଏହି ଫିଚରକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତମାସରେ ଭୂକମ୍ପ ଝଟକା ଦିଲ୍ଲୀ-ଏନସିଆର ସହିତ ଉତ୍ତର-ଭାରତକୁ ହଲଚଲ କରିଦେଇଥିଲା । ତେବେ ଏଣିକି ଭୂକମ୍ପ ଆସିବା ନେଇ ମୋବାଇଲ ଫୋନ୍ ଆଲର୍ଟ କରିଦେବ ।

କେନ୍ଦ୍ର ସରକାର ଏହି ଜରୁରୀକାଳୀନ ଫିଚରକୁ ବାଧ୍ୟତାମୂଳକ ଭାବେ ଲାଗୁ କରିଛନ୍ତି । ଏଥିପାଇଁ ମୋବାଇଲ ନିର୍ମାଣକାରୀ କମ୍ପାନୀମାନଙ୍କୁ ୬ ମାସର ସମୟ ଦିଆଯାଇଛି । ବ୍ରଡକାଷ୍ଟ ସିଷ୍ଟମ ମାଧ୍ୟମରେ ଲୋକଙ୍କୁ ଏକସଙ୍ଗେ ଆଲର୍ଟ କରାଯିବ । ଏହି ଫିଚର ଫୋନରେ ରହିଥିଲେ ବିପର୍ଯ୍ୟୟ ଆସିବା କ୍ଷଣି ଲୋକଙ୍କର ମୋବାଇଲକୁ ଆଲର୍ଟ ମେସେଜ୍ ଆସିଯିବ । ଏହା ଅତିକମରେ ୩୦ ସେକେଣ୍ଡ ମଧ୍ୟରେ ସମ୍ଭବ ହୋଇ ପାରିବ । ଏହି ମେସେଜରେ ବିପର୍ଯ୍ୟୟର ସ୍ଥିତି, ଅଞ୍ଚଳ, ନାମ ଓ ତୀବ୍ର ଆଦି ସ୍ପଷ୍ଟ ଭାବେ ଜଣାପଡ଼ିବ ।

ବର୍ତ୍ତମାନ ଏହି ଫିଚର ବିଶ୍ୱର ସମସ୍ତ ସମୁଦ୍ରକୂଳବର୍ତ୍ତୀ ଦେଶର ଲୋକଙ୍କ ମୋବାଇଲରେ ଲାଗୁ ହୋଇଛି । ଆମେରିକା, ୟୁରୋପ, ବ୍ରିଟେନ, ଜାପାନ, ଚୀନ, ରୁଷ ଓ ଅଷ୍ଟ୍ରେଲିଆ ସହିତ କିଛି ଦେଶର ଲୋକଙ୍କ ଫୋନରେ ଏହି ଫିଚର ବ୍ୟବସ୍ଥା ରହିଛି । ମାତ୍ର ଭାରତରେ ମହଙ୍ଗା ମୋବାଇଲ ହ୍ୟାଣ୍ଡସେଟକୁ ଛାଡ଼ିଦେଲେ ଏହି ଫିଚରକୁ କମ୍ପାନୀମାନେ ଅନ୍ୟ ମୋବାଇଲରେ ରଖିନାହାନ୍ତି ।

ସାରା ଦେଶ, ରାଜ୍ୟ ଓ ସହରର ଲୋକଙ୍କୁ ଏକସଙ୍ଗେ ଆଲର୍ଟ କରାଯିବ । ହିନ୍ଦି, ଇଂରାଜୀ ବା ଅନ୍ୟ ରାଜ୍ୟ ଭାଷାରେ ଜରୁରୀ ମେସେଜ୍ ଆଲର୍ଟ ପ୍ରଦାନ କରିବା, ପୁରୁଣା ସ୍ମାର୍ଟଫୋନରେ ସଫ୍ଟୱେର ଅଫଡେଟ୍ କରିବା, ବିନା ଏମରଜେନ୍ସି ଯୁକ୍ତ ମୋବାଇଲ ବିକ୍ରି ବନ୍ଦ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଭାରତରେ ପାଖାପାଖି ସମସ୍ତଙ୍କ ପାଖରେ ମୋବାଇଲ ରହିଥିବା ବେଳେ ଏହି ନୂଆ ଟେକନିକ୍ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ନେଇ ନିଶ୍ଚିତ ଭାବେ ସତର୍କ କରାଇ ପାରିବ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.