fbpx

ପୁତ୍ରହନ୍ତା ଜଲାଦ୍ ବାପାକୁ ଧରିଲା ପୋଲିସ, ୧୩ ଦିନ ହେବ ଥିଲା ଫେରାର

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗ୍ରାମର ଯଦୁମଣୀ ମୁଣ୍ଡା ନିଜ ବନ୍ଧୁକ ଦ୍ୱାରା ପୁଅକୁ ଗୁଳି କରି ଗଣେଶ ପୂଜା ଦିନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥଲା । ଏହି ଘଟଣାରେ ୧୩ ଦିନ ପରେ ବାରଙ୍ଗ ପୋଲିସ ଚଣ୍ଡଖୋଲ ଅଞ୍ଚଳରୁ ପୁତ୍ରହନ୍ତା ବାପା ଯଦୁମଣିକୁ ଗିରଫ କରିଥିବା ଜଣାପଡିଛି । ଏସଂକ୍ରାନ୍ତରେ ଅଧିକ ତଥ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ଫୋନ ଯୋଗେଯୋଗ କରିଥିଲେ ହେଁ ପୋଲିସ କୌଣସି ଉତ୍ତର ଦେଇନଥିଲେ ।

ସୂଚନା ଯୋଗ୍ୟ ଯେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମପଞ୍ଚାୟତ ଅଧିନସ୍ଥ ବେଣ୍ଟୁଆ ଗ୍ରାମରେ ପରିବାର ସମସ୍ୟାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ବାପା-ପୁଅଙ୍କ ମଧ୍ୟରେ ବଚସା ତୀବ୍ର ହୋଇଥିଲ । ଫଳରେ ବାପା ରାଗିଯାଇ ପାଖରେ ଥିବା ବନ୍ଧୁକକୁ ବାହାର କରି ପୁଅକୁ ଗୁଳି କରିଥିଲା । ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଘଟଣା ସ୍ଥଳରୁ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିଲା ।

ଗତ ୧୦ତାରିଖ ଘଟଣା । ବାଇଗଣ ଚାଷର ଟଙ୍କାକୁ ନେଇ ବାପା ଯଦୁମଣି ଓ ପୁଅ ଶିବ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଯଦୁମଣି ନିଶାସକ୍ତ ଥିଲା । ଫଳରେ ପାଟିତୁଣ୍ଡ କ୍ରମେ ଉଗ୍ରରୂପ ନେଇଥିଲା । ବାପା-ପୁଅ ମାରପିଟ୍‌ ହୋଇଥିଲେ । ହଠାତ୍‌ ଯଦୁମଣି ଉତ୍ତ୍ୟକ୍ତ ହୋଇ ଘରେ ଥୁଆ ହୋଇଥିବା ଦେଶୀ ବନ୍ଧୁକ ଦେଖାଇ ପୁଅକୁ ଧମକଚମକ ଦେବା ଭିତରେ ସେ ଗୋଟେ ରାଉଣ୍ଡ ଗୁଳି ଚଳାଇଦେଇଥିଲା । ଗୁଳିଟି ଶିବର ଡାହାଣ ଛାତିରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶିବ ଟଳିପଡ଼ିଥିଲେ । ପୁଅର ମୃତ୍ୟୁ ହୋଇଥିବା ଜାଣି ଯଦୁମଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଜଙ୍ଗଲରେ ଶିକାର କରିବା ପାଇଁ ଯଦୁମଣି ପାଖରେ ବନ୍ଧୁକ ରଖିଥିବା ଗାଁ ଲୋକ କହୁଛନ୍ତି । ଗୁଳିକାଣ୍ଡ ବିଷୟରେ ସ୍ଥାନୀୟ ଲୋକେ ତୁରନ୍ତ ବାରଙ୍ଗ ଥାନା ପୁଲିସକୁ ସୂଚନା ଦେଇଥିଲେ । ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ସେଠାରୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇନି ।

ରାତି ହୋଇଯାଇଥିବାରୁ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିପାରି ନଥିଲା । ତେଣୁ କାଲି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଆସିଲେ ସୁରାକ ଯୋଗାଡ଼ କରିବା ପରେ ମୃତଦେହ ହସ୍ପିଟାଲ୍‌ ପଠାଯିବ । ମୃତଦେହକୁ ଏକ ସେକ୍ସନ୍‌ ଫୋର୍ସ ଜଗି ରହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଯଦୁମଣିକୁ ଗିରଫ କରିବା ପାଇଁ ଜୋନ୍‌ ଏସିପି ଚନ୍ଦନ ଘଡେଇ ଓ ଥାନା ଅଧିକାରୀ ଆକାଶ ରଣା ଆଖପାଖ ଅଞ୍ଚଳରେ ତନାଘନା କରୁଛନ୍ତି । ଘଟଣା ନେଇ ମୃତକଙ୍କ ପରିବାର ପକ୍ଷରୁ ଏକ ଏତଲା ଦାୟର ହୋଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କଟକ କମିସନରେଟ୍‌ ପୁଲିସ ଅଞ୍ଚଳରେ ଦୁଇ ଦିନରେ ଦୁଇଟି ଗୁଳିକାଣ୍ଡ ଘଟଣା ପୁଲିସ ପାଇଁ ଚିନ୍ତା ସୃଷ୍ଟି କରିଛି ।

Get real time updates directly on you device, subscribe now.