fbpx

ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ ଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ ସହ ସଂଘଷ କରିଆସୁଛନ୍ତି । ତାଙ୍କୁ ଭଲ କରିବା ପାଇଁ ଡାକ୍ତରମାନଙ୍କ ସମସ୍ତ ପ୍ରକାର ଉଦ୍ୟମ ପରେ ମଧ୍ୟ ସେ ରିକଭରି ହୋଇପାରିନାହାନ୍ତି । ତେବେ ଏହାରି ମଧ୍ୟରେ ମିଳିଛି ଏକ ବଡ଼ ଆଶ୍ୱସ୍ତି । ତପୁଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ । ଏଥିସହ ତପୁଙ୍କର କିଛି କ୍ଷତି ହେବନି ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଗତ ମେ ୨୦ ତାରିଖ ରାତିରୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପରିବାର ଲୋକଙ୍କ ସମେତ ସମ୍ପର୍କୀୟ ଓ ଶୁଭେଚ୍ଛୁ ବଡ଼ ଚିନ୍ତିତ ରହିଛନ୍ତି । ଏଭଳି ସ୍ଥିତିରେ ତପୁଙ୍କ ଜଣେ ଶୁଭେଚ୍ଛୁ ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଗୀତା ଦାଶ ନାମକ ଜଣେ ଟ୍ୱିଟର୍ ୟୁଜର୍ସ ସୋନୁଙ୍କୁ ଟ୍ୱିଟ୍ କରି ତପୁଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ସାର୍, ଆମ ପ୍ରିୟ ସାଥୀ ତପୁ ମିଶ୍ରଙ୍କ ପାଇଁ ଜରୁରିକାଳୀନ ୨ଡିଜି ସଚେଟ୍ (ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ) ଆବଶ୍ୟକ । ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବଡ଼ ସଙ୍କଟାପନ୍ନ ରହିଛି ଏବଂ ଆମେ କିଛିଦିନ ଧରି ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହି ଔଷଧ ଯୋଗାଡ଼ କରିପାରିନୁ । ଆପଣ ଦୟାକରି ଆମକୁ ସାହାଯ୍ୟ କରନ୍ତୁ । ଆମେ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବୁ ବୋଲି ୟୁଜର୍ସ ଗୀତା ଦାଶ ସୋନୁ ସୁଦଙ୍କୁ ଟ୍ୱିଟ୍ କରିଛନ୍ତି ।

ଏଭଳି ଅନୁରୋଧମୂଳକ ଟ୍ୱିଟ୍ ପାଇବା ପରେ ସୋନୁ ସୁଦ୍ ତ୍ୱରିତ୍ ପ୍ରତିଉତ୍ତର ଦେଇଛନ୍ତି । ସେ ଔଷଧ ଯୋଗାଇବାର ପ୍ରତିଶ୍ରୁତି ସହ ତପୁଙ୍କ କିଛି ବି କ୍ଷତି ହେବନି ବୋଲି ରିପ୍ଲାଏ କରିଛନ୍ତି । ଏହି ପ୍ରତିଶ୍ରୁତି ମିଳିବା ପରେ ତପୁଙ୍କ ନିକଟତର ଲୋକମାନେ ଏକ ପ୍ରକାର ଆଶ୍ୱସ୍ତି ପାଇଛନ୍ତି । ଏଥିସହ ସାରା ଓଡ଼ିଶାର ବିଭିନ୍ନ ମହଲରୁ ତପୁଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

Get real time updates directly on you device, subscribe now.