fbpx

ତୃତୀୟ ମ୍ୟାଚରେ ସାଉଥ ଆଫ୍ରିକାର ବିଜୟ: ସିରିଜ ହାତେଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତକୁ ହରାଇ ତୃତୀୟ ମ୍ୟାଚକୁ କବଜା କରିଛି ସାଉଥ ଆଫ୍ରିକା । ଦମଦାର ବ୍ୟାଟିଂ ଏବଂ ସୁନ୍ଦର ବୋଲିଂ ସହିତ ଏହି ମ୍ୟାଚରେ ବିଜୟ ହାସଲ କରିଛି ବାଭୂମା ସେନା । ତେବେ ମ୍ୟାଚ ଜିତିଥିଲେ ବି ସିରିଜ ହାତଛଡା କରିଛି ଦକ୍ଷିଣ ଆଫ୍ରିକା । ୨-୧ରେ ଏହି ସିରିଜକୁ ନିଜର କରିଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚରେ ଭାରତକୁ ରୋମାଞ୍ଚକର ଢଙ୍ଗରେ ହରାଇଛି ସାଉଥ ଆଫ୍ରିକା ।

ତୃତୀୟ ଟି-୨୦ରେ ଭାରତକୁ ୪୯ ରନରେ ପରାସ୍ତ କରିଛି ସାଉଥ ଆଫ୍ରିକା । ପ୍ରଥମେ ରୁସୋଙ୍କ ଶତକ ବଳରେ ଭାରତକୁ ୨୨୮ ରନର ଏକ ବିଶାଳ ଲକ୍ଷ୍ୟ ଦେଇଥିଲା । ଏହାପରେ ବିରାଟ କୋହଲିଙ୍କ ଅନୁପସ୍ଥିତିର ଭରପୂର ଫାଇଦା ଉଠାଇଛି ସାଉଥ ଆଫ୍ରିକା । ସେପଟେ ରୋହିତଙ୍କର ଆଉ କିଛି ଏକ୍ସପେରିମେଣ୍ଟ ମଧ୍ୟ ଫେଲ ମାରିଛି । ଦ୍ୱିତୀୟ ଇନିଂସରେ ଭାରତକୁ ମାତ୍ର ୧୭୮ ରନରେ ଅଲ ଆଉଟ କରି ମ୍ୟାଚ ଉପରେ କବଜା କରିଛି ସାଉଥ ଆଫ୍ରିକା । ଦିନେଶ କାର୍ତ୍ତିକ କିଛି ସମୟ ପାଇଁ ଲଢିବା ପାଇଁ ଚେଷ୍ଟା କରିଥିଲେ ହେଁ ବାକି ସମସ୍ତ ଖେଳାଳି ପଛଘୁଞ୍ଚା ଦେଇଥିଲେ । ତେବେ ଓପନର ଭାବେ ରିଷଭ ପନ୍ତ ୨୭ ରନ କରିଥିବା ବେଳେ ପୁଣି ଥରେ ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିଛନ୍ତି ଶ୍ରେୟସ ଆୟର । ଦଳ ତରଫରୁ ଦିନେଶ କାର୍ତ୍ତିକ ସର୍ବାଧିକ ୪୬ ରନ କରିଛନ୍ତି ଏବଂ ଶେଷରେ ଅଲରାଉଣ୍ଡର ଦୀପକ ଚହର ୧୭ ବଲରୁ ୩୧ ରନର ଏକ ବିସ୍ଫୋଟକ ଇନିଂସ ଖେଳିଥିଲେ ।

ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକାର ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରୀ ପଡିଥିଲେ । ତେବେ ୩.୩ ଓଭରରେ ମାତ୍ର ୨୬ ରନ ଦେଇ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ ଡ୍ୱେନ ପ୍ରିଟୋରିୟସ । ତାଙ୍କ ବ୍ୟତୀତ ୱେନ ପାର୍ନେଲ, ଲୁଙ୍ଗି ଏନଗିଡି ଏବଂ କେଶବ ମହାରାଜ ୨ଟି ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ସେହିପରି କାଗିସୋ ରାବାଡା ମଧ୍ୟ ଗୋଟିଏ ୱିକେଟ ନେଇଛନ୍ତି । ଫଳରେ ଭାରତ ମାତ୍ର ୧୭୮ ରନରେ ହିଁ ଅଲ ଆଉଟ ହୋଇ ଏହି ମ୍ୟାଚକୁ ହାତଛଡା କରିଛି ।

Get real time updates directly on you device, subscribe now.