ନୂଆଦିଲ୍ଲୀ: ସଂସଦକୁ ନିୟନ୍ତ୍ରଣ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ପ୍ରକାଶ କରିବା ଏବଂ ସରକାରଙ୍କୁ ପଙ୍ଗୁ କରିବା ଭଳି କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ କରି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ ମଙ୍ଗଳବାର ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଛନ୍ତି। ଏକ ଟେଲିଭିଜନ୍ ବ୍ରିଫିଂ ରେ ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଦକ୍ଷିଣ କୋରିଆରେ ଚାଲିଥିବା ରାଜନୈତିକ ସଙ୍କଟକୁ ଗୁରୁତର ଭାବେ ବଢ଼ାଇ ଦେଇଛି।
ମେ ୨୦୨୨ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିରୋଧୀ ନିୟନ୍ତ୍ରିତ ନ୍ୟାସନାଲ ଆସେମ୍ବ୍ଲିର କ୍ରମାଗତ ଆହ୍ୱାନର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରପତି ୟୁନ୍ ଦେଶର ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଏହି ପଦକ୍ଷେପକୁ ଜରୁରୀ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ପ୍ରଶାସନ ଓ ଗଣତନ୍ତ୍ର ଉପରେ ଏହାର ତତ୍କାଳ ପ୍ରଭାବ ଅସ୍ପଷ୍ଟ ରହିଛି। ବିରୋଧୀଙ୍କ ଅଭିଯୋଗ ବିବାଦ ସୃଷ୍ଟି କରିଛି ।
କୋରିଆର ଡେମୋକ୍ରାଟିକ୍ ପାର୍ଟି ନେତୃତ୍ବାଧୀନ ଉଦାରବାଦୀ ବିରୋଧୀ ଦଳ, କ୍ଷମତାର ଅପବ୍ୟବହାର ଅଭିଯୋଗରେ ମହାଭିଯୋଗକୁ ଏଡ଼ାଇବା ପାଇଁ ୟୁନ୍ ମାର୍ଶାଲ ଲ’ ଲାଗୁ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିବାର ଏକ ମାସ ପରେ ଏହି ଘୋଷଣା କରାଯାଇଛି। ବିରୋଧୀ ଦଳ ନେତା ଲି ଜେ-ମୟୁଙ୍ଗ ଚେତାବନୀ ଦେଇ କହିଛନ୍ତି ଯେ ମାର୍ଶାଲ ଲ’ ଏକ ସଂପୂର୍ଣ୍ଣ ଏକଛତ୍ରବାଦର କାରଣ ହୋଇପାରେ, ଯାହା ଏହାର ଅପବ୍ୟବହାରର ଐତିହାସିକ ଉଦାହରଣକୁ ସୂଚାଇଥାଏ।
ଏହାର ଜବାବରେ ୟୁନଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗକୁ ‘ମନଗଢ଼ା ପ୍ରଚାର’ ବୋଲି ଖଣ୍ଡନ କରିବା ସହ ଜନମତକୁ ହସ୍ତକ୍ଷେପ କରିବା ପାଇଁ ବିରୋଧୀ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଥିଲେ। ସେପଟେ ପ୍ରଧାନମନ୍ତ୍ରୀ ହାନ୍ ଡକ୍ ମଧ୍ୟ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଦକ୍ଷିଣ କୋରିଆବାସୀ ଏଭଳି ପଦକ୍ଷେପକୁ ଗ୍ରହଣ କରିବେ ନାହିଁ।