fbpx
BSKY
BJD MC SKY
BJD YOUTH SKY

ଆଜି ଏବଂ ଆସନ୍ତା କାଲି ଉପକୂଳ ଓଡିଶା ପାଇଁ ସାମାନ୍ୟ ଆଶ୍ବସ୍ତି: ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିବ ତାତି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସୋମବାର ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୬ ଦଶମିକ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ଆଜି ସକାଳୁ ସକାଳୁ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି। ଓଡ଼ିଶା ଉପକୂଳରେ ଆକାଶ ମେଘଚ୍ଛନ୍ନ ରହିଥିବାବେଳେ ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ଆଜି ଏବଂ ଆସନ୍ତା କାଲି ଉପକୂଳ ଓଡିଶା ପାଇଁ ସାମାନ୍ୟ ଆଶ୍ବସ୍ତି ଭରା ରହିବ। ତେବେ ସକାଳୁ ରାଜ୍ୟରେ ହାଲୁକା ବର୍ଷା ଓଡ଼ିଶାକୁ ମୌସୁମୀ ଛୁଇଁବାର ଲୋକମାନଙ୍କ ମନରେ ଭ୍ରମ ସୃଷ୍ଟି କରିଛି।

୧୨ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମି କର୍ଣ୍ଣାଟକର ଅଧିକାଂଶ ଅଞ୍ଚଳ, କୋନକନ, ତାମିଲନାଡୁର ଅଧିକାଂଶ ଅଞ୍ଚଳ, ଆନ୍ଧ୍ରପ୍ରଦେଶର କିଛି ଅଂଶ ଏବଂ ଉତ୍ତର-ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ, ପଶ୍ଚିମବଙ୍ଗ, ବିହାର ଏବଂ ସିକ୍କିମର କିଛି ଅଞ୍ଚଳକୁ ମୌସୁମି ବାୟୁ ପ୍ରବେଶ କରି ସାରିଛି । ଆଗାକୁ ଦୁଇରୁ ତିନିଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ଓଡ଼ିଶା ଛୁଇଁବ ବୋଲି ଆକଳନ କରାଯାଉଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ଡିଗ୍ରୀ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରବଳ ତାତି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝର ପାଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ା ଓ ମୟୂରଭଞ୍ଜ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

Get real time updates directly on you device, subscribe now.