fbpx

ରଜ ପାଇଁ ସଜ ହେଉଛି ବଜାର, ଏଥର ସ୍ମୋକ ପାନର ଚାହିଦା ଅଧିକ

ଭୁବନେଶ୍ୱର: ରଜ ପର୍ବ ଓଡିଶାର ଲମ୍ବା ପର୍ବ ଭାବେ ପାଳିତ ହୋଇଥାଏ । ସାଧାରଣତଃ ଆମେ ଏହାକୁ ୩ ଦିନ ପାଳନ କରୁ । କିନ୍ତୁ ରଜ ୫ ଦିନ । ପ୍ରଥମ ଦିନକୁ ସଜବାଜ, ଦ୍ୱିତୀୟ ଦିନକୁ ପହିଲି ରଜ, ତୃତୀୟ ଦିନକୁ ରଜ ସଂକ୍ରାନ୍ତି, ଚତୁର୍ଥ ଦିନକୁ ଭୂମି ଦହନ ଓ ପଞ୍ଚମ ଦିନକୁ ବସୁମତି ସ୍ନାନ ଭାବେ ପାଳନ କରାଯାଏ । ତେବେ ଆଜି ହେଉଛି ରଜ ସଜବାଜ । ଏହିଦିନ ଝିଅମାନେ ରଜ ପର୍ବ ପାଇଁ ସଜବାଜ ହୁଅନ୍ତି । ଅନ୍ୟପକ୍ଷରେ ବିଶ୍ୱାସ କରାଯାଏ ଯେ, ରଜ ପର୍ବରେ ଠାକୁରାଣିଙ୍କର ଋତୁସ୍ରାବ ହୋଇଥାଏ । ତେଣୁ ରଜ ୩ଦିନ ଝିଅମାନେ କାମ କରନ୍ତି ନାହିଁ ।

ରାତି ପାହିଲେ ରଜ ପର୍ବ, ତେଣୁ ଏଥିଲାଗି ବଜାର ଚଳଚଞ୍ଚଳ ହୋଇଉଠିଛି । ଆଜି ରଜ ପାଇଁ ଲୁଗା ଓ ଶାଢି ଦୋକାନରେ ଭିଡ ଲାଗିଛି । ରଜର ଗୋଟେ ଦିନ ପୂର୍ବରୁ ପାନ ପାଇଁ ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତି କରି ରଖୁଥିଲେ । ହେଲେ ବର୍ତ୍ତମାନ ବଜାରରେ ଭଳିକି ଭଳି ରଜପାନ ବିକ୍ରି ହେବାରେ ଲାଗିଛି । ହେଲେ ଏଥର ରଜରେ ସ୍ମୋକ ପାନର ଚାହିଦା ବଢିଛି । ପାନରେ ଚୂନ, ପାନମଧୂରୀ, ସଲଟେଡ୍ ଧନିଆ, ଗୁକୁନ୍ଦ, ମିକ୍ସଚର, ରିମଝିମ, ପାନ ସୁପାରୀ, ସୁଣ୍ଠି, ଜାଇଫଳ, ପିପର୍‌ମିଣ୍ଟ୍‌, ମୁଲେଠି, ଚେରି ଓ ତୁଟିଫୁଟି ଆଦି ଦେଇ ତିନିକୋଣିଆ ଆକାରର ଭଙ୍ଗାଯାଇ, ତା’ ଉପରେ ଚେରି ଦେଇ ଏକ କାଠିରେ ସେଟ୍ କରିଦିଆଯାଏ। ତା’ ପରେ ଏହା ଉପରେ ‘ଇଡେବୁଲ୍‌ ଲିକ୍ୟୁଇଡ୍‌ ନାଇଟ୍ରୋଜେନ’ ବୋଲି ଏକ ତରଳ ପଦାର୍ଥ ଢଳାଯାଏ। ଏହି ତରଳ ପଦାର୍ଥ ପଡ଼ୁପଡ଼ୁ ପାନରୁ ଧୂଆଁ ବାହାରିବା ଆରମ୍ଭ ହୋଇଯାଏ। ଏହି ଧୂଆଁ ବାହାରୁଥିବା ସମୟରେ ହିଁ ସ୍ମୋକ୍‌ ପାନକୁ ଗ୍ରାହକଙ୍କ ପାଟିକୁ ବଢ଼ାଇ ଦିଅନ୍ତି ବ୍ୟବସାୟୀ। ଏହା ଏକ ଗ୍ରାହକଙ୍କୁ ଖଟା, ମିଠାର ସ୍ବାଦ ଦେବା ସହ ଧୂଆଁଳିଆ ଫ୍ଲେବର୍‌ ଦିଏ।

ଅନ୍ୟପଟେ ରଜରେ ଦୋଳି ଖେଳିବାକୁ ଅଧିକ ପ୍ରାଧାନ୍ୟ ଦିଆଯାଏ। ଚଳିତବର୍ଷ ରଜକୁ ଧୂମ୍‌ଧାମ୍‌ରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେଥିପାଇଁ ସହରର ଗଳକନ୍ଦିରେ ଦୋଳି ବିକ୍ରି ହେଉଛି। ସହରରେ ବଡ଼ ବଡ଼ ଗଛରେ ଦୋଳି ବାନ୍ଧି ଖେଳିବା ଆଉ ସମ୍ଭବ ହେଉନାହିଁ। ଏଣୁ ରାସ୍ତା କଡ଼ରେ ବିକ୍ରି ହେଉଥିବା ପ୍ଲାଷ୍ଟିକ୍‌ ଦୋଳିର ଚାହିଦା ଗତ କିଛି ବର୍ଷ ହେଲା ଯଥେଷ୍ଟ ବଢ଼ିଛି। ବଡ଼ ଦୋଳିର ମୂଲ୍ୟ ୧୦୦ରୁ ୧୨୦ ଟଙ୍କା ଥିବା ବେଳେ ଛୋଟ ଦୋଳିର ମୂଲ୍ୟ ୮୦ରୁ ୧୦୦ ଟଙ୍କା ରହିଛି। ସେହିଭଳି ସାମୁହିକ ଦୋଳି ପଡ଼ିଥିବା ସ୍ଥାନଗୁଡ଼ିକ‌ରେ ମାତ୍ରାଧିକ ଗହିଳକୁ ନେଇ ଲୋକମାନେ ଘରେ ଦୋଳିର ବ୍ୟବସ୍ଥା କରୁଛନ୍ତି।

Get real time updates directly on you device, subscribe now.