fbpx

ଗଞ୍ଜାମ ସ୍ଥିତି ସମୀକ୍ଷା କଲେ ବାଚସ୍ପତି

ଆଉ ଏକ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଲେ

ଭୁବନେଶ୍ୱର / ବ୍ରହ୍ମପୁର ଅଫିସ୍, ୧୦ା୫ (ଓଡ଼ିଶା ଭାସ୍କର): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରବିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଗଞ୍ଜାମ ଜିଲ୍ଲାରେ କରୋନା ଭାଇରସ୍କୁ ନେଇ ବୃଦ୍ଧି ପାଉଥିବା ସ୍ଥିତି ପରଖିଛନ୍ତି । ଗଞ୍ଜାମରେ ଆଉ ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ବାଚସ୍ପତି ଶ୍ରୀ ପାତ୍ର ଏହି ଅବସରରେ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାରେ ୨୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଥିବା ବେଳେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲାଣି । ଏହି ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ହସ୍ପିଟାଲ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯାଉ ବୋଲି ସେ କହିଛନ୍ତି । ଜିଲ୍ଲାକୁ ବହୁ ସଂଖ୍ୟରେ ପ୍ରବାସୀ ଆସୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଖୁବଶୀଘ୍ର ଆଉ ଏକ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହାସହ ଗ୍ରାମାଞ୍ଚଳରୁ ଦୂରରେ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । କରୋନା ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ଏବଂ ଏଥିପାଇଁ ପ୍ରଶଂସାର ହକଦାର ବୋଲି ଶ୍ରୀ ପାତ୍ର କହିଛନ୍ତି । ବୈଠକ ପରେ ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪୦ ହଜାର ଲୋକ କ୍ୱାରେଣ୍ଟାଇନରେ ଅଛନ୍ତି । ଜିଲ୍ଲାକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ୨ହଜାର ୯୮୩ଟି କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ହୋଇ ରହିଛି । କ୍ୱାରେଣ୍ଟାଇନ୍ ସେଣ୍ଟର ନିକଟରେ ୧୪୪ ଧାରା ଜାରି କରାଯାଇଛି । ସଙ୍ଗରୋଧ କେନ୍ଦ୍ରରୁ ଯେପରି କେହି ଖସି ନଯିବେ ସେନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.