fbpx

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌ ଘୋଷଣା, କୋଭିଡ୍‌ ଆକ୍ରାନ୍ତ ସମସ୍ତ ପରିବାରକୁ ଶୁଖିଲା ରାସନ୍‌ କିଟ୍‌ ସହ ମିଳିବ କୋଭିଡ୍‌ କିଟ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ଲାଗି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ
ବିଭାଗ ପକ୍ଷରୁ ପିଭିଟିଜି ମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍‌ ଘୋଷଣା କରାଯାଇଛି । ବିଭାଗ ପକ୍ଷରୁ ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଣ୍ଟନ ସହ କୋଭିଡ୍‌ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ୍‌ କିଟ୍‌ ଯୋଗାଣ,କୋଭିଡ୍‌ ଆକ୍ରାନ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ସହିତ ୧୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ, ପ୍ରାଚୀନ ଜନଜାତି ଗୋଷ୍ଠୀ ପରିବାରର ଘରକୁ ଘର ଯାଇ ସର୍ଭେ ଓ ସ୍କ୍ରିନିଂ କରାଯାଇ କୋଭିଡ୍‌ ଲକ୍ଷଣ ନିରୁଣ କରାଯିବାକୁ ଘୋଷଣା କରାଯାଇଛି ।

ଏହାସହ ପ୍ରାଚୀନ ଜନଜାତି ଗ୍ରାମାଂଚଳରେ କାର୍ଯ୍ୟରତ କମ୍ୟୁନିଟି ରିସୋର୍ସ ପରସନ୍‌ଙ୍କୁ ୪ ମାସ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ, ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଅଧୀନରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ କିଟ୍‌ ସହ ଜୀବନବୀମାର ପରିସରଭୁକ୍ତ କରାଯାଇଛି। ଗ୍ରାମ ସ୍ତରରେ ସଙ୍ଗରୋଧ କେନ୍ଦ୍ର ମାଇକ୍ରୋ ଏଜେନ୍ସି ଓ କୋଭିଡ୍‌ କେୟାର ସେଂଟର ପ୍ରତିଷ୍ଠା ସହିତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନିମନ୍ତେ ପାଙଋିର ବ୍ୟବସ୍ଥା କରାଯାଇଛି । ପ୍ରାଚୀନ ଜନଜାତିମାନେ ବାସ କରୁଥିବା ସମସ୍ତ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପ୍ରାଚୀନ ଜନ ଜାତି ଗୋଷ୍ଠୀର ବ୍ୟକ୍ତିମାନଙ୍କୁ କୋଭିଡ୍‌ ସଚେତନତା ନିମନ୍ତେ ସ୍ଥାନୀୟ ଭାଷାରେ ମାଇକ ରେ ପ୍ରଚାର ସହିତ ପୋଷ୍ଟର ଓ ବ୍ୟାନର ଯୋଗେ ସଚେତନ କରାଯାଉଛି । ମୋବାଇଲ ଫୋନ୍‌ରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରେରଣ କରାଯାଉଛି। ଆଶା, ଅଙ୍ଗନବାଡ଼ି ଓ ଏଏନ୍‌ଏମ୍‌ କର୍ମୀମାନେ ସି.ଆର.ପିଙ୍କ ସହିତ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟର ଯୋଗେ ପ୍ରାଚୀନ ଜନଜାତିମାନଙ୍କ କୋଭିଡ୍‌ ପରୀକ୍ଷା କରୁଛନ୍ତି । ଏକାଥରକେ ଅଧିକ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ନିମନ୍ତେ ବ୍ଲକ୍‌ ସ୍ତରରେ ରାପିଡ୍‌ ରେସ୍‌ନ୍ସ ଟିମ୍‌ କାର୍ଯ୍ୟ କରୁଛନ୍ତି ଓ ଆବଶ୍ୟକତା ଅନୁସାରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଆଇସୋଲେସନ୍‌/କ୍ୱାରେଣ୍ଟାଇନ୍‌ ସେଣ୍ଟର/ କୋଭିଡ୍‌ କେୟାର ହସ୍ପିଟାଲ୍‌ପଠାଯାଉଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ୫୪୧ଟି ଗ୍ରାମରେ ୨୭,୩୦୮ଟି ପିଭିଟିଜି ପରିବାର ରହିଛି । ୧୭ଟି ପୁରୁଣା ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଅଂଚଳରେ ୧ ଲକ୍ଷ
୩୪ ହଜାର ଲୋକ ରହିଛନ୍ତି । ନୂତନ ଭାବେ ଚିହ୍ନଟ ହୋଇଥିବା ୧୧୩୮ଟି ପିଭିଟିଜି ଗ୍ରାମରେ ୩୬,୯୦୬ ପରିବାର ରହିଛି । ଆଉ ୧ ଲକ୍ଷ ୬୦ ହଜାର ୪୦୧ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତି ରହିଛନ୍ତି । କେଉଁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ମଧ୍ୟ ପ୍ରତିଷ୍ଠା କରାଯାଇଛି । ପ୍ରାଚୀନ ଜନଜାତିମାନଙ୍କୁ କୋଭିଡ୍‌ ସଂକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ରାଜ୍ୟସ୍ତରରେ ଗଠିତ ମନିଟରିଂ କମିଟି ପ୍ରତ୍ୟହ ମନିଟର କରୁଛନ୍ତି ।

Get real time updates directly on you device, subscribe now.