fbpx

ସେନାର ଯବାନଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୧୬ା୪: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ହୋଇଥିଲା । ଏହାପରେ ଏହି ଲକଡାଉନ୍ ଅବଧିକୁ ଦ୍ୱିତୀୟ ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କରୋନା ଲକଡାଉନ୍ ଯୋଗୁଁ ଦେଶର ଉତ୍ତର ଏବଂ ପୂର୍ବ ସୀମାରେ ପରିଚାଳନଗତ ଆବଶ୍ୟକତା ପୂରଣ ପାଇଁ ଭାରତୀୟ ସେନାର ଯବାନମାନଙ୍କ ପାଇଁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଯିବ । ଏହି ଉଭୟ ଟ୍ରେନ ବେଙ୍ଗାଲୁରୁରୁ ଆରମ୍ଭ ହେବ । ୧୭ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ଅମ୍ବାଲା ରାସ୍ତା ଦେଇ ଜମ୍ମୁରେ ପହଞ୍ଚିବ । ଦ୍ୱିତୀୟ ଟ୍ରେନଟି ଏପ୍ରିଲ୍ ୧୮ରେ ବେଙ୍ଗାଲୁରୁରୁ ବାହାରି ହାୱଡ଼ା ଦେଇ ଗୌହାଟି ଅଭିମୁଖେ ଯାତ୍ରା କରିବ । ଲକଡାଉନ୍ ଯୋଗୁଁ ବସ୍‌, ଟ୍ରେନ୍ ଓ ବିମାନ ଚଳାଚଳକୁ ବାତିଲ କରାଯାଇଛି । ଫଳରେ ଅନେକ ସ୍ଥାନରେ ସେନାର ଯବାନମାନେ ମଧ୍ୟ ଫସି ରହିଛନ୍ତି । ସେମାନେ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇପାରୁ ନାହାନ୍ତି । ଏହାରିମଧ୍ୟରେ ସେନାର ପରିଚାଳନାଗତ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ୨ଟି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସେନାର ଯବାନମାନଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ ପହଞ୍ଚାଇବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ପରେ ଏପରି ପଦକ୍ଷେପ ନିଆଯାଇଛି । ସେନାର ଯବାନ ଓ ଅଧିକାରୀମାନେ ଏହି ଟ୍ରେନ୍‌ରେ ଯାତ୍ରା କରିବେ ବୋଲି ସୂଚନା ଦିଆଯାଇଛି । ବେଙ୍ଗାଲୁରୁ, ବେଲଗାମ୍ ଏବଂ ସିକନ୍ଦରାବାଦସ୍ଥିତ ଟ୍ରେନିଂ ସେଣ୍ଟରରୁ ଅନେକ ସଂଖ୍ୟକ ଯବାନ ଓ ଅଧିକାରୀ ଟ୍ରେନିଂ ସାରି ନିଜ ନିଜ ଡ୍ୟୁଟିରେ ଯୋଗଦେବାକୁ ଅପେକ୍ଷା କରି ରହିଛନ୍ତି । ଏହି ଟ୍ରେନ୍ ମାଧ୍ୟମରେ ସେମାନଙ୍କୁ ମଧ୍ୟ ସେମାନଙ୍କ କର୍ତ୍ତବ୍ୟକ୍ଷେତ୍ରରେ ପହଞ୍ଚାଯିବାକୁ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.