ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ରେଲୱେ ନିଯୁକ୍ତି ବୋର୍ଡ (ଆରଆରସି), ପୂର୍ବ-କେନ୍ଦ୍ରୀୟ ରେଲୱେ ତରଫରୁ ଅନେକ ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ସ୍ପୋର୍ଟ୍ସ କୋଟାରେ ବିଭିନ୍ନ କ୍ରୀଡ଼ାରେ ଦକ୍ଷତା ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଡିସେମ୍ବର ୧୬ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ବିଜ୍ଞପ୍ତିକୁ ଯାଇ ସବିଶେଷ ବିବରଣୀ ପାଇବା ସହ ଆବେଦନ କରିପାରିବେ ।
ସମସ୍ତ ପ୍ରାର୍ଥୀମାନେ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବେ, ଟ୍ରାଏଲ୍ସ ପରେ ପ୍ରାର୍ଥୀଙ୍କ ଆକାଉଣ୍ଟରେ ୪୦୦ ଟଙ୍କା ରିଫଣ୍ଡ କରିଦିଆଯିବ । ସେହିପରି ଏସସି / ଏସଟି / ମହିଳା/ ସଂଖ୍ୟାଲଘୁ ଓ ଆର୍ଥିକ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୨୫୦ ଟଙ୍କା ରଖାଯାଇଥିବା ବେଳେ ଟ୍ରାଏଲ୍ସ ପରେ ସେମାନଙ୍କୁ ୨୫୦ ଟଙ୍କା ରିଫଣ୍ଡ କରିଦିଆଯିବ । ପେମେଣ୍ଟା ଇଣ୍ଡିଆନ୍ ପୋଷ୍ଟାଲ ଅର୍ଡର ଜରିଆରେ ଗ୍ରହଣ କରାଯିବ । ୨୦୨୫ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ । ଲେବଲ-୧ ଠାରୁ ଆରମ୍ଭ କରି ଲେବଲ-୫ ପଦ ପାଇଁ ପ୍ରାର୍ଥୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରଖାଯାଇଛି । ଲେବଲ-୧ ପାଇଁ ୧୦ଟି, ଲେବଲ-୨/୩ ପାଇଁ ୧୬ଟି ଓ ଲେବଲ-୪/୫ ପାଇଁ ୫ଟି ପଦ ଖାଲି ରହିଛି । ହାଜିପୁରରେ ୨୧ ଜଣ ପୂର୍ବ-କେନ୍ଦ୍ରୀୟ ରେଲୱେରେ ୨୫ ଜଣ ଏପରି ଭାବେ ମୋଟ ୫୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।