fbpx

ରାଜ୍ୟରେ ବାତ୍ୟା ପ୍ରଭାବିତ ଫସଲ କ୍ଷୟକ୍ଷତି ଆକଳନ ରିପୋର୍ଟ ୧୨ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ SRCଙ୍କ ନିର୍ଦ୍ଦେଶ

Advertisement

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ମିଗ୍‍ଜୋମ୍‍ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବର୍ଷା ଲାଗି ରହିବା ଫଳରେ ଖରିଫ୍‍ ଚାଷ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନର ସତ୍ୟବ୍ରତ ସାହୁ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଫସଲ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ଓ ଜିଲ୍ଲା ପ୍ରଶମନ ବିଭାଗ ଏବଂ କୃଷି ବିଭାଗର ମିଳିତ ଉଦ୍ୟମରେ ବ୍ଲକ୍‍, ଗ୍ରାମପଞ୍ଚାୟତ ଏବଂ ଗ୍ରାମଗୁଡ଼ିକୁ ଯାଇ ସର୍ଭେ କରି ବାସ୍ତବିକ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଏସ୍‍ଆରସି ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।

ତେବେ ୩୩ ପ୍ରତିଶତ କିମ୍ବା ତାଠାରୁ ଅଧିକ କ୍ଷତିଗ୍ରସ୍ତ ଫସଲର ରିପୋର୍ଟ ଆସନ୍ତା ୧୨ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଏହି ପତ୍ରରେ ଉଲ୍ଲେଖ କରାଯାଇଛି । କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ଆସିବା ପରେ ତର୍ଜମା କରି ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁସାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ସାମୁଦ୍ରିକ ବାତ୍ୟା ‘ମିଗ୍‍ଜୋମ୍‍’ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଗତକାଲି ରାତିଠାରୁ କ୍ରମାଗତ ବର୍ଷା ଲାଗିରହିଛି । ଜିଲ୍ଲାର ପଟାଙ୍ଗୀରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାସହିତ ଜିଲ୍ଲାରେ ପ୍ରାୟ ୫୦୦ ମିଲିମିଟର ବର୍ଷା ହୋଇଥିବାର ସୂଚନା ମିଳିଛି । ଏହାର ପ୍ରଭାବରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

ଆଜି ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ସ୍କୁଲ କଲେଜ୍‍ରେ ଉପସ୍ଥାନ କମ୍‍ ରହିଛି । ଏଥିସହ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଜୟପୁର ଅଞ୍ଚଳରେ ବ୍ୟାପକ ଧାନଚାଷ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଗତକାଲି ସନ୍ଧ୍ୟାରେ କୋରାପୁଟ ସୀମାନ୍ତରେ ଥିବା ଆର୍‍କୋ ରେଳଷ୍ଟେସନ ଅଞ୍ଚଳରେ ପଥର ଓ ମାଟି ଅତଡା ଖସିଛି । ଫଳରେ ବିଶାଖାପାଟଣାରୁ କିରଣ୍ଡଳ ଯାଉଥିବା ସମସ୍ତ ଟ୍ରେନ୍‍ ଆଜି ବାତିଲ କରାଯାଇଛି । ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷତିଗ୍ରସ୍ତ ରେଳଧାରଣାରେ ମରାମତି କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.