fbpx

ଚୀନ୍ ସମର୍ଥିତ ବ୍ୟାଙ୍କରୁ ୧୦୦ ମିଲିୟନ୍ ଡଲାରର ଜରୁରୀକାଳୀନ ପାଣ୍ଠି ପାଇଁ ଆଲୋଚନା କରୁଛି ଶ୍ରୀଲଙ୍କା

ମୁମ୍ବାଇ: ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ଚାଇନା ସମର୍ଥିତ ଏସୀୟ ଭିତ୍ତିଭୂମି ବିନିଯୋଗ ବ୍ୟାଙ୍କ(ଏଆଇଆଇବି) ଶ୍ରୀଲଙ୍କାକୁ ୧୦୦ ମିଲିୟନ୍ ଡଲାର୍ ଜରୁରୀକାଳୀନ ସହାୟତା ପ୍ରଦାନ କରିବାକୁ ଚିନ୍ତା କରୁଛି ବୋଲି ଦେଶର ଅର୍ଥ ମନ୍ତ୍ରଣାଳୟ ରବିବାର ଦିନ କହିଛି।

କରୋନା ମହାମାରୀ ଏବଂ ଦିର୍ଘଦିନ ଧରି ସରକାରରେ ରହିବା ଲାଗି ଲୋକମାନଙ୍କୁ ମାଗଣା ସେବା ଯୋଗାଇ ଦେଇ ଦେଶର ଅର୍ଥନିତିକୁ ଧରାଶାୟୀ କରି ଦେଇଥିବା ଶ୍ରୀଲଙ୍କା ସରକାର ଏଆଇଆଇବିକୁ ୧୦୦ ମିଲିୟନ ବୈଦେଶିକ ମୁଦ୍ରା ଲୋନରେ ଦେବାକୁ ଅନୁରୋଧ କରିଥିଲା । ବୈଦେଶିକ ଭଣ୍ଡାର ୫୦ ମିଲିୟନ ଡଲାରକୁ ଖସି ଆସିବା କାରଣରୁ ଘୋର ଅର୍ଥନୀତି ସଙ୍କଟରେ ପଡିଛି ଶ୍ରୀଲଙ୍କା ।

ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ, ଇନ୍ଧନ ଏବଂ ଔଷଧର ଅଭାବ ହେତୁ ବିରୋଧ ପ୍ରଦର୍ଶନ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ପୁଣି ଥରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
ଏଆଇଅଇବି ବ୍ୟାଙ୍କ ୨୦୧୪ରେ ପ୍ରତିଷ୍ଠା ହୋଇଥିଲା । ଯାହା ଏସିଆ ମହାଦେଶରେ ବିଭିନ୍ନ ଭିତ୍ତିଭୁମି ପ୍ରକଳ୍ପ ପାଇଁ ସହାୟତା ପ୍ରଦାନ କରିଥାଏ । ତେବେ ଚାଇନାଠାରୁ ଏହାକୁ ସର୍ବାଧିକ ଅର୍ଥ ମିଳିଥାଏ । କୁହାଯାଉଛି ଯେ ଚାଇନାଠାରୁ ବହୁଳ ମାତ୍ରାରେ ଋଣ ଆଣି ଶ୍ରୀଲଙ୍କା ଆଜି ଏଭଳି ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ।

ତେବେ ଆର୍ଥିକ ସଙ୍କଟ ମଧ୍ୟରେ ବେଜିଂ ଶ୍ରୀଲଙ୍କାକୁ ୧.୩ ବିଲିୟନ ଡ଼ଲାର ସିଣ୍ଡିକେଟ୍ ଋଣ ଏବଂ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଁ ୧.୫ ବିଲିୟନ ୟୁଆନ୍ ପ୍ରଦାନ କରିଛି। ଏହା ବାଦ୍ ବର୍ତ୍ତମାନ ୧.୫ ବିଲିୟନ ଡଲାରର କ୍ରେଡିଟ୍ ଲାଇନ୍ ଏବଂ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ଏକ ନୂତନ ସିଣ୍ଡିକେଟ୍ ଋଣ ପାଇଁ ଦୁଇ ଦେଶ ଆଲୋଚନା କରୁଛନ୍ତି।

Get real time updates directly on you device, subscribe now.