Asia Cup 2025: ବାପାଙ୍କ ଶେଷକୃତ୍ୟ ପରେ UAE ଫେରିଲେ ଖେଳାଳି, ମୈଦାନକୁ ଓହ୍ଲାଇ ବାପାଙ୍କ ସ୍ବପ୍ନ କରିବେ ସାକାର

ବାପାଙ୍କ ଶେଷକୃତ୍ୟ ପରେ UAE ଫେରିଲେ କ୍ରିକେଟର ଡୁନିଥ୍ ୱେଲାଗେ । ମୈଦାନକୁ ଓହ୍ଲାଇ ବାପାଙ୍କ ସ୍ବପ୍ନ କରିବେ ସାକାର ।

ନୂଆଦିଲ୍ଲୀ: ଶ୍ରୀଲଙ୍କା ଆଜି ଅର୍ଥାତ ସେପ୍ଟେମ୍ବର 20 ତାରିଖରେ ସୁପର-4ର ପ୍ରଥମ ମ୍ୟାଚରେ ବାଂଲାଦେଶ ସହିତ ମୁକାବିଲା କରିବ। ଶ୍ରୀଲଙ୍କା କ୍ରିକେଟର ଡୁନିଥ୍ ୱେଲାଗେ ମଧ୍ୟ ଏହି ମ୍ୟାଚରେ ମଧ୍ୟ ଶାମିଲ ହେବେ, କାରଣ ସେ ତାଙ୍କ ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ UAE ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର, ସେପ୍ଟେମ୍ବର 18 ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ସମୟରେ ଡୁନିଥ୍ ୱେଲାଗେଙ୍କ ପିତା ସୁରଙ୍ଗା ୱେଲାଗେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୁଖ୍ୟ ପ୍ରଶିକ୍ଷକ ସନଥ ଜୟସୁରିଆ ଏବଂ ଟିମ୍ ମ୍ୟାନେଜର ମ୍ୟାଚ୍ ଶେଷ ହେବା ପରେ ହିଁ ତାଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହାପେର ୱେଲାଗେ ତୁରନ୍ତ ଘରକୁ ଫେରିଥିଲେ।

ଶ୍ରୀଲଙ୍କା କ୍ରିକେଟ୍ ଶୁକ୍ରବାର ଏକ ବିବୃତ୍ତିରେ କହିଛି, “ତାଙ୍କ ସ୍ୱର୍ଗତ ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଘରକୁ ଫେରିଥିବା ଡୁନିଥ୍ ୱେଲାଗେ ଆସନ୍ତାକାଲି ସକାଳେ ଦଳରେ ଯୋଗଦେବେ। ସେ ଆଜି ରାତିରେ ଟିମ୍ ମ୍ୟାନେଜର ମହିନ୍ଦା ହାଲାଙ୍ଗୋଡେଙ୍କ ସହିତ UAE ଯିବେ।”

ୱେଲାଗେର କ୍ରିକେଟର

ୱେଲାଗେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ପାଇଁ ଗୋଟିଏ ଟେଷ୍ଟ, 31 ଦିନିକିଆ ଏବଂ ପାଞ୍ଚଟି ଟି20 ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ଏହା ଭିତରେ 46 ୱିକେଟ୍ ନେବା ସହ 427 ରନ୍ କରିଛନ୍ତି। ବାମହାତୀ ସ୍ପିନରଙ୍କୁ ଭାରତ ବିପକ୍ଷରେ ତାଙ୍କର ପ୍ରଭାବଶାଳୀ ଦିନିକିଆ ପ୍ରଦର୍ଶନ ପାଇଁ ସର୍ବୋତ୍ତମ ମନେ ରଖାଯାଏ । ଗତ ବର୍ଷ ଏକ ଦ୍ୱିପାକ୍ଷିକ ସିରିଜରେ 5/27 ଏବଂ 2023 ଏସିଆ କପରେ 5/40 ପ୍ରଦର୍ଶନ କରିଥିଲେ।