ଆସନ୍ତାକାଲି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ: ଜାଣନ୍ତୁ, ଏହି ନିର୍ଦ୍ଧାରିତ ସମୟସୀମା

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। କାରଣ ଆସନ୍ତାକାଲି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଟିତ ହେବ। ଏହି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ବର୍ଷ ଆରମ୍ଭରୁ ମହାପ୍ରଭୁଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଗତକାଲି ନୁଆବର୍ଷ ଥିବାରୁ ସାଢେ ଚାରି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଜଗା ଦର୍ଶନ କରି ଫେରିଥିବା ସୂଚନା ମିଳିଛି। ଏହାସହିତ ନୂଆବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ନିୟମ ଲାଗୁ କରାଯାଇଛି।

ନୂଆ ବର୍ଷରୁ ଗୁଟଖା ଏବଂ ପାନ ଖାଇବା ଏବଂ ମନ୍ଦିର ପରିସରରେ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ, ଭକ୍ତମାନଙ୍କୁ ମନ୍ଦିରରେ ପ୍ରବେଶ କରିବା ପାଇଁ “ଭଲ ପୋଷାକ” ପିନ୍ଧିବାକୁ ପଡ଼ିବ। ହାପ ପ୍ୟାଣ୍ଟ, ଚିରା ଜିନ୍ସ, ସ୍କର୍ଟ ଏବଂ ସ୍ଲିଭଲେସ୍ ପୋଷାକ ପିନ୍ଧିଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ। ଏହି ନିୟମର କାର୍ଯ୍ୟକାରିତା ସହିତ, ୨୦୨୪ର ପ୍ରଥମ ଦିନରେ, ମନ୍ଦିରକୁ ଆସୁଥିବା ପୁରୁଷ ଭକ୍ତମାନେ ଧୋତି ଏବଂ ଗାମୁଛା ପିନ୍ଧିଥିବାର ନଜର ଆସିଥିଲେ ଏବଂ ମହିଳାମାନେ ଶାଢ଼ୀ କିମ୍ବା ସାଲୱାର କାମିଜରେ ନଜର ଆସିଥିଲେ। SJTA ପୂର୍ବରୁ ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରି ପୋଲିସକୁ ଏହି ପ୍ରତିବନ୍ଧକ ଲାଗୁ କରିବାକୁ କହିଥିଲେ। ଗତକାଲି ଠାରୁ ଏହି ନିୟମକୁ କଡ଼ାକଡ଼ି କରାଯାଇଛି।