fbpx

Star War ପାଇଁ ବିପଦରେ ଓଡ଼ିଶା! କ’ଣ ଶିଖିବେ ଯୁବପୀଢ଼ୀ, କେମିତି ଆଗେଇବ ସମାଜ

ନୂଆଦିଲ୍ଲୀ: ଆଜି ମଣିଷ ଶିକ୍ଷା, ଟେକ୍ନୋଲୋଜି, ସୋସିଆଲ ମିଡ଼ିଆ କ୍ଷେତ୍ରରେ ଯେତିକି ଆଗକୁ ଯାଉଛି ମାନବିକତା, ଭଲପାଇବା, ବୁଝାମଣା, ସଂସ୍କାର ଆଦି କ୍ଷେତ୍ରରେ ସେତିକି ପଛକୁ ଯାଉଛି । ଦିନକୁ ଦିନ ପ୍ରେମଜନିତ ଧୋକ୍କା, ପ୍ରତାରଣା, ପରକୀୟା ପ୍ରୀତି ଆଦି ସମସ୍ୟା ବଢ଼ିବାରେ ଲାଗିଛି । ତେବେ ଏଥିପାଇଁ ଆଜି ଲୋକଙ୍କ ମଧ୍ୟରେ ସୁବୁଝାମଣା ରହୁନାହିଁ । କେହି କାହା ଉପରେ ବିଶ୍ୱାସ ସ୍ଥାପନ କରିପାରୁ ନାହାନ୍ତି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ପାରିବାରିକ ଡିଭୋର୍ସ ମାମଲା ଦେଖିବାକୁ ମିଳୁଛି ।

ବିଶେଷ କରି ଓଡ଼ିଶାରେ ଏହି ସ୍ଥିତି ଏବେ ଗମ୍ଭୀର ରୂପ ଧାରଣ କଲାଣି । ସାଧାରଣତଃ କ୍ରିକେଟର, ସିନେଷ୍ଟାରଙ୍କୁ ଜନସାଧାରଣ ନିଜର ଆଦର୍ଶ ଭାବେ ଗ୍ରହଣ କରିଥାନ୍ତି । ମାତ୍ର ଆଜିକାଲିର ତାରକାଙ୍କ କଥା ନ କହିବା ହିଁ ସାର ହେବ । ପ୍ରତ୍ୟେକ ସେଲିବ୍ରେଟି ଆମମାନଙ୍କ ପରି ଜଣେ ଜଣେ ମଣିଷ । ସେମାନଙ୍କର ସମସ୍ୟା ଅଛି, ସେମାନଙ୍କର ବ୍ୟକ୍ତିଗତ ଜୀବନ ଅଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ପାରିବାରିକ, ବ୍ୟକ୍ତିଗତ ଘଟଣାବଳୀ ପଦାରେ ପଡ଼ି ହାଟରେ ଗଡ଼ିବା ।

ଦଃଖର ବିଷୟ ଏହି କି ଯେ, ଯେଉଁ ତାରକଙ୍କୁ ଆଜିର ଯୁବପୀଢ଼ୀ ଅନୁସରଣ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକ ପାରିବାରିକ ବିବାଦରେ ଛନ୍ଦି ହୋଇ କୋର୍ଟ କଚେରୀ ଚକ୍କର କାଟୁଛନ୍ତି । ଏହା ଏକ ସାଧାରଣ କଥା ନୁହେଁ । କୌଣସି ତାରକାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ହୁଏତ ଆଜି କାହାର କିଛି ଅନିଷ୍ଟ କରିନପାରେ । ମାତ୍ର ଭବିଷ୍ୟତ ପୀଢ଼ି ପାଇଁ ଏହା କ୍ୟାନସରରୁ ଠାରୁ ବି ଆହୁରି ଭୟଙ୍କର ହୋଇ ଉଠିବ । ସମାଜକୁ କି ବାର୍ତ୍ତା ଦେଉଛନ୍ତି ଏହି ତାରକାମାନେ ।

ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ବର୍ଷ ବର୍ଷ ଧରି କୋର୍ଟରେ ଚାଲିଛି । ଏହି ମାମଲାରେ ଉଭୟ ପରସ୍ପର ବିରୋଧରେ ବିଭିନ୍ନ ସମୟରେ ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଆସିଥିଲେ । ପରେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ଏଥିରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ବି ଅନୁଭବ-ବର୍ଷାଙ୍କ ମାମଲା ବିଚାରାଧୀନ ରହିଥିବା ବେଳେ ଏହା ମଧ୍ୟରେ ଆଉ ଜଣେ ଯୁବତୀ ଜାଗୃତୀ ଶୁକ୍ଲାକୁ ନେଇ ଚର୍ଚ୍ଚା ହେଉଛି ।

ଗତବର୍ଷ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପରକ୍ରୀୟା ପ୍ରୀତି ନେଇ ବାବୁଙ୍କ ପତ୍ନୀ ତୃପ୍ତି ମହାନ୍ତି ଅଭିଯୋଗ ଆଣିଥିଲେ । ଏହି ଘଟଣାକୁ ନେଇ ସାରା ଓଡ଼ିଶ।।ରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ମାମଲା ହାଇକୋର୍ଟରେ ବି ପହଞ୍ଚିଥିଲା । ବାବୁ-ପ୍ରକୃତି ପିଲାବେଳର ସାଙ୍ଗ ହୋଇଥିଲେ ହେଁ ତୃପ୍ତି ସେମାନଙ୍କ ସମ୍ପର୍କକୁ ନେଇ ସନ୍ଦେହ କରିଥିଲେ । ପରେ ଆପୋଷ ବୁଝାମଣା ପରେ ଏହି ମାମଲା ଥମିଥିଲା ।

ତେବେ ଏହା ମଧ୍ୟରେ ଗତ ଦୁଇଦିନ ହେଲା ପୁଣି ଏକ ନୂଆ ମାମଲା ଚେଇଁ ଉଠିଛି । ଓଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଘରୋଇ ହିଂସା, ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ କଣ୍ଠଶିଳ୍ପୀ ଶ୍ରୀୟା । ଆଜି ଦମ୍ପତିଙ୍କୁ କାଉନସେଲିଂ ପାଇଁ ଥାନାକୁ ଡକାଯାଇଥିଲା । ପାରିବାରିକ ବିବାଦ କାରଣରୁ ଗତ କିଛି ମାସ ହେଲା ଶ୍ରୀୟ ତାଙ୍କ ବାପଘରକୁ ଚାଲିଯାଇଥିଲେ । ଅନ୍ୟପକ୍ଷରେ ଏହି ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି ହ୍ୟୁମାନ । ତେବେ କଥା ଏତିକିରେ ସରିନାହିଁ । ରାଜ୍ୟର ଏପରି ଅନେକ କଳାକାର ଏହି ପ୍ରେମଜନିତ ବିବାଦ ପାଇଁ ନିଜର ଜୀବନ ହାରିଛନ୍ତି ।

ତେବେ କୌଣସି ଅଭିନେତା କି ଗାୟକଙ୍କ ବ୍ୟକ୍ତିଗତ ସମସ୍ୟାରେ କାହାର କିଛି କହିବାର ନାହିଁ । ମାତ୍ର ଯେଉଁ ଷ୍ଟାରମାନେ ସମାଜକୁ ନୂଆ ଦିଗଦର୍ଶନ ଦେବା କଥା, ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା କଥା, ସେମାନେ ଯଦି ଏହି ବିବାଦ ଘେରରେ ଛନ୍ଦି ହୋଇ ପଡ଼ିବେ, ତେବେ ଏହାର ପ୍ରଭାବ ସମାଜ ଉପରେ କିପରି ପଡ଼ିବ? ହୋଇପାରେ ଆଜି ଯେଉଁ ତାରକାଙ୍କ ସମ୍ମାନ ହୋଇଛି, କାଲି ସେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିପାରନ୍ତି । କେଉଁ ତାରକା ଠିକ୍, କେଉଁ ତାରକା ଭୁଲ୍ ତାହା ସମୟ କହିବ । ମାତ୍ର ସେମାନଙ୍କୁ ଫଲୋ କରୁଥିବା ହଜାର ହଜାର ଫ୍ୟାନ୍ସ, ଯୁବବର୍ଗଙ୍କୁ ଅବାଟରୁ ବାଟକୁ ଆଣିବ କିଏ? ତେଣୁ ହେ ମୋର ପୂଜ୍ୟ କଳାକାର ଭାଇଭଉଣୀମାନେ, ଆପଣମାନେ ଠିକ୍ ବାଟକୁ ଫେରି ଆସନ୍ତୁ । ସୁଖରେ ରୁହନ୍ତୁ, ନିଜ ପରିବାରର ଉନ୍ନତି କରନ୍ତୁ ଓ ସମାଜର ମଙ୍ଗଳ କରନ୍ତୁ, ଏତିକି ଅନୁରୋଧ କରୁଛୁ ।

Get real time updates directly on you device, subscribe now.