fbpx
BJD SKY
BJD SKY

ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ? ପାୱାର କରିଡରରେ ଜୋରଦାର ଚର୍ଚ୍ଚା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ୫ମ ପାଳିର ୪ର୍ଥ ବର୍ଷ ପୂରଣ କରିବ । କ୍ରମାଗତ ଭାବେ ବିଜେଡିକୁ ରାଜ୍ୟବାସୀ ଅକୁଣ୍ଠ ଚିତ୍ତରେ ସମର୍ଥନ ଦେଇଆସୁଥିବା ବେଳେ ନବୀନ ମଧ୍ୟ ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗର ସଫଳତାକୁ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବେ ନବୀନ ।

ଆସନ୍ତା ମାସ ୨୨ ତାରିଖରୁ ବିଭିନ୍ନ ବିଭାଗର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ବେଳେ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ଏହି କ୍ରମରେ ୨୨ରେ କୃଷି ଓ ସ୍ୱାସ୍ଥ୍ୟ ଏବଂ ୨୩ରେ ପୂର୍ତ୍ତ, ଜଙ୍ଗଲ, ପରିବେଶ, ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ସେହିପରି ୨୪ରେ ପଞ୍ଚାୟତିରାଜ, ବୟନଶିଳ୍ପ ଓ ପରିବହନ, ୨୫ରେ ଉଚ୍ଚଶିକ୍ଷା, ଜଳସମ୍ପଦ, ୨୬ରେ ଆଇଟି, ନଗର ଉନ୍ନୟନ, ୨୭ରେ ମିଶନ ଶକ୍ତି, ଶ୍ରମ, ୨୯ରେ ସ୍କୁଲ ଓ ଗଣଶିକ୍ଷା, ୩୦ରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ଏସସି ଓ ଏସଟି ଉନ୍ନୟନ, ୩୧ରେ କ୍ରୀଡ଼ା, ମହିଳା ଓ ଶିଶୁ ବିକାଶ, ଜୁନ ୧ରେ ପର୍ଯ୍ୟଟନ ବିଭାଗର ବୈଠକ ଅନୁଷ୍ଠିତ ହେବ ।

ତେବେ ନବୀନଙ୍କ ବିଭିନ୍ନ ବିଭାଗର ରିପୋର୍ଟ ସମୀକ୍ଷାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଏକ ବଡ଼ ଚର୍ଚ୍ଚା ହେଉଛି । ଶେଷ ଥର ପାଇଁ ଗତବର୍ଷ ଜୁନ ୫ ତାରିଖରେ ନବୀନଙ୍କ କ୍ୟାବିନେଟ ପରିବର୍ତ୍ତନ ହୋଇଥିଲା । ପୂରା କ୍ୟାବିନେଟ ଇସ୍ତଫା ଦେବା ପରେ ଗଠନ ହୋଇଥିଲା ନୂଆ ଟିମ୍ । ତେବେ ଏଥର ବିଭିନ୍ନ ବିଭାଗର ମନ୍ତ୍ରୀଙ୍କର ଦକ୍ଷତା ଆଧାରରେ କିଛି ପରିବର୍ତ୍ତନ ହୋଇପାରେ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ଉକ୍ତ ବିଭାଗରେ ଜଣେ ପୂର୍ଣ୍ଣକାଳୀନ ମନ୍ତ୍ରୀ ଦାୟିତ୍ୱ ନେଇ ନାହାନ୍ତି । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ସେହିପରି ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏପରି ସ୍ଥଳେ ଯୋଗ୍ୟ ନେତାଙ୍କୁ ନବୀନ ବଡ଼ ଦାୟିତ୍ୱ ପ୍ରଦାନ କରିପାରନ୍ତି । ଏ ବାବଦରେ ଯଦିଓ ଦଳ ପକ୍ଷରୁ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ, ତେବେ ରାଜନୀତିର ମହାନାୟକ ନବୀନଙ୍କ ପରବର୍ତ୍ତୀ ଗୋଟିଚାଳନାକୁ ବୁଝିବା ସମସ୍ତଙ୍କ ପାଇଁ ମୁସ୍କିଲ ।

Get real time updates directly on you device, subscribe now.