fbpx
BSKY
BJD SHG SKY
BJD YOUTH SKY

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମ୍ପ୍ରସାରିତ ହେବ ‘ମିଲେଟ୍‌ ମିଶନ’, ୪ ଜିଲ୍ଲାରେ ନିର୍ମାଣ ହେବ ବାତ୍ୟା ନିରୋଧୀ ଲୁଣାବନ୍ଧ

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌) : ଶୁକ୍ରବାର ଅପରାହ୍ଣରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଟ୍‌ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଯୋଜନା ଓ ସଂଯୋଜନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି ଏବଂ ଜଳସମ୍ପଦ ବିଭାଗର ବହୁ ପ୍ରସଙ୍ଗ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମିଲେଟ୍‌ ମିଶନକୁ ସମ୍ପ୍ରସାରିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମିଲେଟ୍‌ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମଧ୍ୟ ବୈଠକରେ ମଞ୍ଜୁରୀ ମିଳିଛି । ଆଦିବାସୀ ଅଧ୍ୟ୍ୟଷିତ ଅଞ୍ଚଳରେ ମିଲେଟ୍‌ ମିଶନର ବିକାଶ କରାଯିବ । ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ନିର୍ମାଣ କରାଯିବ ।

ସେହିପରି ସୁନ୍ଦରଗଡ଼ର କୋଏଲ ନଦୀରେ ଇନ୍‌ଷ୍ଟ୍ରିମ୍‌ ବ୍ୟାରେଜ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସେହିଭଳି ବୈଠକରେ ଏକାଧିକ ଗ୍ରାମ୍ୟ ପାନ୍ୟଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧୨୧୦.୦୪ କୋଟି ଟଙ୍କାର ୩ଟି ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ୯ଟି ବ୍ଲକ୍‌ର ୧୮୮ଟି ପଞ୍ଚାୟତର ୧୦୯୪ଟି ଗ୍ରାମର ୧୦ ଲକ୍ଷ ୧୯ ହଜାର ୪୮୭ ଅଧିବାସୀ ଉପକୃତ ହେବେ । ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସମେତ ୪ଟି ବ୍ଲକ୍‌ର ୭୧ଟି ପଞ୍ଚାୟତ ଅଧିବାସୀ ଉପକୃତ ହେବାକୁ ଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକ୍‌ର ୭୬ଟି ପଞ୍ଚାୟତର ୫୨୨ଟି ଗ୍ରାମର ଅଧିବାସୀ ଉପକୃତ ହେବେ ।

ସେହିପରି ବାଲେଶ୍ୱର ଜିଲ୍ଲାର ରେମୁଣା, ଖଇରା ଓ ବାଲେଶ୍ୱର ବ୍ଲକ୍‌ ଅନ୍ତର୍ଗତ ୪୧ଟି ପଞ୍ଚାୟତର ୩୦୧ଟି ଗ୍ରାମର ଅଧିବାସୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ଢେଙ୍କାନାଳ ଜିଲ୍ଲା ପାଇଁ ମେସର୍ସ ଲକ୍ଷ୍ମୀ ସିଭିଲ୍‌ ଇଂଜିନିୟରିଂ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ ଟେଣ୍ଡର ନେଇଥିବାବେଳେ କେନ୍ଦ୍ରାପଡ଼ା ପାଇଁ ଅନୁରୂ ଭାବେ ସେହି କମ୍ପାନୀକୁ କାର୍ଯ୍ୟଭାର ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ପାଇଁ ହାଇଦ୍ରାବାଦସ୍ଥିତ ମେସର୍ସ ଏନସିସି ଲିମିଟେଡ୍‌କୁ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି । ବୈଠକରେ ଇଣ୍ଟିଗ୍ରେଟେଡ୍‌ ମାଇନ୍ସ ଆଣ୍ଡ ମିନେରାଲ ମନିଟରିଂ ଯୋଜନାକୁ ଆଉ ୫ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

୨୦୨୭ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯିବ ଓ ଏ ବାବଦରେ ୩୨୬.୭୯ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦିଆଯାଇଛି । ସେହି ରି ଦୀର୍ଘମିଆଦୀ ଖଣିଜ ଯୋଗାଣ ନୀତିରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଓଡ଼ିଶା ଜିଲ୍ଲା ଯୋଜନା କମିଟି ଅଧିନିୟମର ବିଭିନ୍ନ ଧାରାରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି । ୧୯୯୮ର ବିଭିନ୍ନ ଧାରାରେ ସଂଶୋଧନ କରି ସିଧାସଳଖ ନିର୍ବାଚିତ ପୌରାଞ୍ଚଳ ସଂସ୍ଥାର ଅଧ୍ୟକ୍ଷ ଏବଂ ମେୟରମାନଙ୍କୁ ନିର୍ବାଚିତ କାଉନସିଲର ବର୍ଗରେ ସାମିଲ କରିବା ପାଇଁ ତଥା ଜିଲ୍ଲା ଯୋଜନା କମିଟିର ସଦସ୍ୟଭାବେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାପାଇଁ ଏବଂ ଅସଦାଚାର କିମ୍ବା ଅନୈତିକ କାର୍ଯ୍ୟକଳାପ କାରଣରୁ ଜିଲ୍ଲା ଯୋଜନା କମିଟି ସଦସ୍ୟମାନଙ୍କୁ ବହିଷ୍କାର ନିମନ୍ତେ ଏକ ନୂତନ ଧାରା ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ ପ୍ରଦାନ କରାଯାଇଛି । ସେହିପରି ଓଡ଼ିଶା ରାଜସ୍ୱ ସେବା ଗ୍ରୁପ୍ ବି କ୍ୟାଡରରେ ଅତିରିକ୍ତ ପଦବୀ ସୃଷ୍ଟି ନିମନ୍ତେ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ଦେଇଛି ।

Get real time updates directly on you device, subscribe now.