fbpx

୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତ ହେବ ରଣନୀତି ! ଆଜି ହାଇକମାଣ୍ଡଙ୍କୁ ଭେଟି ‘ୱାନ ଟୁ ୱାନ୍‌’ ଆଲୋଚନା କରିବେ ଦଳୀୟ ନେତା

Advertisement

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଓ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦୀର୍ଘ ଦିନ ହେବ ଲାଗି ରହିଛି । ଫଳରେ ରାଜ୍ୟରେ ଦଳ ଉଧେଇବାର ନାଁ ଧରୁନାହିଁ । ଏକ୍ଷେତ୍ରରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ଦଳୀୟ ହାଇକମାଣ୍ଡଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସାଂଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ହାଇକମାଣ୍ଡ ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ରାଜ୍ୟର ଦଳୀୟ ନେତାମାନଙ୍କୁ ଡାକି ୱାନ ଟୁ ୱାନ୍‌ ଆଲୋଚନା କରିବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଦଳୀୟ ନେତାମାନେ ହାଇକମାଣ୍ଡଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ରାଜ୍ୟର ବହୁ କଂଗ୍ରେସ ନେତା ଏବେ ଦିଲ୍ଲୀରେ ଯାଇ ଡେରା ପକାଇବା ଆରମ୍ଭ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ସହ ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବିଧାୟକ ରମେଶ ଜେନାପ୍ରମୁଖ ଦିଲ୍ଳୀରେ ପହଞ୍ଚିଛନ୍ତି ।ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ ମଧ୍ୟ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି ।

ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଦୁର୍ବଳ ସ୍ଥିତିରେ ରହିଛି । ଦିଲ୍ଲୀରେ ପିସିସି ସଭାପତି ଚୟନ ନୁହେଁ ବରଂ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଦଳର ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଦିଲ୍ଲୀରେ ରଣନୀତି ପ୍ରସ୍ତୁତ ହେବ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ମତ ଦେଉଥିବାବେଳେ ଜଣେ ଯୁବବର୍ଗଙ୍କୁ ପିସିସି ସଭାପତି କରାଗଲେ ତାହା ଭଲ ହେବ ବୋଲି କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି । ହେଲେ ହାଇକମାଣ୍ଡ ଏନେଇ ଯାହା ନିଷ୍ପତ୍ତି ନେବେ ତାହାକୁ ଦଳର ନେତାମାନେ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦଳର ସ୍ଥିତି ଓ ପିସିସି ପରିବର୍ତ୍ତନ ନେଇ ଗତ କିଛି ଦିନ ତଳେ ପ୍ରଭାରୀ ଚେଲାକୁମାର ଓଡ଼ିଶା ଆସି ୨ ଦିନ ରହିବା ସହ ସମସ୍ତ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ସେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ ବୋଲି ମଧ୍ୟ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସେ ଦୀର୍ଘ ଦିନ ହେବ ଏହି ଦାୟିତ୍ୱରେ ରହିଛନ୍ତି । ଏବେ ଏଥିରୁ ଅବ୍ୟାହତି ନେବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତି ଦେବାକୁ ସେ ହାଇକମାଣ୍ଡଙ୍କୁ ଅନୁରୋଧ କରିଥିବା କହିଛନ୍ତି ।

Get real time updates directly on you device, subscribe now.