fbpx

ରାଜ୍ୟ ସରକାର ବୃଦ୍ଧି କଲେ ଅନୁକମ୍ପା ରାଶି: ସହିଦଙ୍କ ପରିବାରକୁ ୪୦ ଲକ୍ଷ, ସାଧାରଣ ପରିବାରକୁ ୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକ୍ସଲ ମୁକାବିଲା ଅନୁଦାନ ରାଶି ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ନକ୍ସଲ ମୁକାବିଲାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କ ପରିବାରର ସୁରକ୍ଷା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ସହିଦଙ୍କ ପରିବାରକୁ ୫୦ ଓ ସାଧାରଣ ଜନତାଙ୍କ ପରିବାରକୁ ୫ ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ନକ୍ସଲ ବିରୋଧୀ ଅଭିଯାନରେ ଯଦି କୌଣସି ସୁରକ୍ଷା କର୍ମୀ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ ୨୦ ଲକ୍ଷ ପରିବର୍ତ୍ତେ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଏ କ୍ଷେତ୍ରରେ ଯଦି ଜଣେ ସାଧାରଣ ଲୋକ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ ୫ ଲକ୍ଷ ଦିଆଯିବ । ପୂର୍ବରୁ ସାଧାରଣ ପରିବାରଙ୍କ କ୍ଷେତ୍ରରେ ଏହି ଅନୁଦାନ ରାଶି ୨ ଲକ୍ଷ ରହିଥିଲା ।

ରାଜ୍ୟରେ ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମ, ଉଗ୍ର ବାମପନ୍ଥୀ କାର୍ଯ୍ୟକଳାପକୁ ହ୍ରାସ ପାଇଁ ରାଜ୍ୟ ସରକାର ଏହି ଅନୁଦାନ ରାଶିକୁ ୫୦ ପ୍ରତିଶତ ବଢ଼ାଇଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ୮୫.୮୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ରାଜ୍ୟର ଯେଉଁ ଜିଲ୍ଲାମାନଙ୍କରେ ନକ୍ସଲବାଦ ଜାରି ରହିଛି, ସେହି ଅଞ୍ଚଳଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ଥାନୀୟ ଅଧିବାସୀଙ୍କୁ ଭିତ୍ତିଭୂମି ନିର୍ମାଣରେ ଅଂଶୀଦାର କରିବା, ସେମାନଙ୍କର ସହଯୋଗ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଆତଙ୍କବାଦ ଅପରେସନ ସମୟରେ କୌଣସି ସମ୍ପତ୍ତି ନଷ୍ଟ ହେଲେ ପ୍ରଚଳିତ ମାର୍ଗଦର୍ଶିକା ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ।

Get real time updates directly on you device, subscribe now.